
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି କାଟ୍ ସମସ୍ୟା ଲୋକଙ୍କୁ କଲବଲ କରିଥାଏ। ତେବେ ବିଜୁଳି କାଟ୍କୁ ନେଇ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ କରାଯିବ ନାହିଁ।
ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସେବା ଭବନରେ ଗ୍ରୀଷ୍ମ ମୁକାବିଲା ସମୀକ୍ଷା ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଖରାଦିନେ ବିଦ୍ୟୁତ୍ କାଟ୍ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବାହ୍ନ୧୧ଟାରୁ ୫ଟା ଏବଂ ରାତି ୯ରୁ ସକାଳ ୬ଟା ପର୍ୟ୍ୟନ୍ତ ଯେପରି ବିଦ୍ୟୁତ କାଟ୍ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅଘୋଷିତ ବିଦ୍ୟୁତ୍ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। କାଳବୈଶାଖୀ ସମୟରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।




