
ନୂଆଦିଲ୍ଲୀ: ଦେଶରେ ବ୍ୟାନ ହେବ ସମସ୍ତ ଟଙ୍କା ଲଗାଣକାରୀ ଅନଲାଇନ ଗେମ୍। ଏ ସଂକ୍ରାନ୍ତ ବିଲ ଆଇନରେ ପରିଣତ ହେବାକୁ ଯାଉଛି। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ୨୦୨୫। ଲୋକସଭା ଭଳି ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ ପାରିତ ହୋଇଛି।ବିରୋଧୀ ବିହାରରେ ଚାଲିଥିବା ଭୋଟର ସଂଶୋଧନ ସର୍ଭେ ବା ଏସଆଇଆର ଉପରେ ଆଲୋଚନା କରିବାକୁ ଦାବି କରୁଥିବା ବେଳେ ବାଚନିକ ଭୋଟ ମାଧ୍ୟମରେ ସରକାର ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ପାସ କରାଇ ନେଇଛନ୍ତି। ସଂସଦର ଉଭୟ ଗୃହରେ ଏହା ପାରିତ ହୋଇଥିବା ବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇଁ ଏହାକୁ ପଠାଯିବ।ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଆଇନ ଲାଗୁ ହେବା ମାତ୍ରେ ଦେଶରେ କାର୍ୟ୍ୟକ୍ଷମ ହେଉଥିବା ସମସ୍ତ ଟଙ୍କା ଲଗାଣକାରୀ ଗେମ ବା ରିୟଲ ମନି ଆପ ବ୍ୟାନ ହୋଇଯିବ। ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।




