
ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍ର ଜଣେ ଯବାନ୍ ଆହତ ହୋଇଛନ୍ତି । ଆହତ ଯବାନ୍ଙ୍କୁ ଚିକିତ୍ସା ପାଇଁ ଏୟାର୍ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ କମ୍ବିଂ ଅପରେସନ୍କୁ ଜୋରଦାର୍ କରାଯାଇଛି। ଏହି ଘଟଣାଟି ସରଣ୍ଡା ଜଙ୍ଗଲର ଛୋଟନାଗରା ଥାନା ଅଞ୍ଚଳର ବାଲିବା ଜଙ୍ଗଲରେ ଘଟିଛି। କୋବ୍ରା ବାଟାଲିଅନ୍ର ଯବାନ୍ମାନେ ଜଙ୍ଗଲରେ କମ୍ବିଂ ଅପରେସନ୍ କରିବା ସମୟରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।
ଏଥିରେ କୋବ୍ରା ବାଟାଲିଅନ୍ ୨୦୫ର ଯବାନ୍ ଅନୁଜ କୁମାର ଆହତ ହୋଇଛନ୍ତି। ତାଙ୍କ ପାଦରେ ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣା ପରେ ବହୁ ସଂଖ୍ୟକ ଯବାନ୍ ମୁତୟନ କରାଯିବା ସହ ସଂପୂର୍ଣ୍ଣ ଅଞ୍ଚଳକୁ ଛାନ୍ଭିନ୍ କରାଯାଉଛି। ଆହତ ଯବାନ୍ଙ୍କ ଚିକିତ୍ସା ପାଇଁ ତତ୍କାଳ ବ୍ୟବସ୍ଥା କରାଯାଇଥିବା ଚାଇବାସା ଏସ୍ଡିପିଓ ବହାମନ୍ ଟୁଟି କହିଛନ୍ତି। ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁଆରିରେ ସରଣ୍ଡା ଜଙ୍ଗଲରେ ‘ଅପରେସନ୍ ମେଘା ଗୁରୁ’ ଚାଲୁ କରାଯାଇଥିଲା। ଏହି ଅଭିଯାନରେ କୋବ୍ରା ବାଟାଲିଅନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ସିଆରପିଏଫ୍ର ପ୍ରାୟ ୪ହଜାର ଯବାନ ସାମିଲ ହୋଇଛନ୍ତି। ଏହି ଅପରେସନ୍ରେ ୧୬ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି।




