
ଭୁବନେଶ୍ୱର: “ଦ୍ୱିତୀୟ ଥର ପାଇଁ ଓଡିଶାର ପ୍ରଭାରୀ ଭାବେ ଦାୟୀତ୍ୱ ମିଳିଛି । ରାଜ୍ୟରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ । ଦଳୀୟ ସଂଗଠନକୁ ଆହୁରୀ ଅଧିକ ସୁଦୃଢ କରାଯିବ” ବୋଲି ନବନିଯୁକ୍ତ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ସାଂସଦ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ କହିଛନ୍ତି । ନୂତନ ଦାୟୀତ୍ୱ ନେବା ପରେ ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଆଜି ନବନିଯୁକ୍ତ ସହପ୍ରଭାରୀ ତଥା ରାଷ୍ଟ୍ରୀୟ ସଂପାଦକ ଡ.ସ୍ୱଦେଶ ସିଂହଙ୍କ ସହ ପ୍ରଥମ ଥର ପାଇଁ ଓଡିଶା ଗସ୍ତ କରିଛନ୍ତି । ରାଜ୍ୟ ବିଜେପି ତରଫରୁ ଉଭୟଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ଦଳର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହା ପରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୩୫ ନମ୍ବର ଓ୍ôାର୍ଡ ସ୍ଥିତ ଅଙ୍ଗନବାଡୀ କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ ଆଙ୍ଗନବାଡି କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଅଙ୍ଗନବାଡି କେନ୍ଦ୍ରଗୁଡିକ ସୁଦୃଢ କରିବା ଏବଂ ଶିଶୁ, ଗର୍ଭବତୀ ମହିଳା ଓ ସନ୍ତାନମାନଙ୍କୁ ଉନ୍ନତ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ସହପ୍ରଭାରୀ ଡ.ସ୍ୱଦେଶ ସିଂହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ଓ୍ôାର୍ଡ ସ୍ଥିତ ଅଙ୍ଗନବାଡୀ କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଦଳୀୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ବୈଠକରେ ଉଭୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସିଂହଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକ ସଂପର୍କରେ ସୁଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ଆଜିର ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ଏବଂ ପ୍ରକୋଷ୍ଠ ସଂଯୋଜକ ଓ ସହ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଶେଷ ଭାବେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ସାଙ୍ଗଠନିକ କାର୍ଯ୍ୟକଳାପ, ଆଗାମୀ କାର୍ଯ୍ୟ ଯୋଜନା, ଆଗାମୀ ପଂଚାୟତ ଓ ପୈାର ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ମାସେ ବ୍ୟାପୀ ଚାଲିଥିବା “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହିତ ଆଗାମୀ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକୁ ସଫଳ କରିବା ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।
ସେହିପରି ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଭାବେ ୨୫ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ଦେଶବ୍ୟାପୀ “ସେବା ଜ୍ୟୋତି” କାର୍ଯ୍ୟକ୍ରମର ଅନୁଷ୍ଠିତ ହେବ । ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଆଜିର ବୈଠକରେ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଅଧିକରୁ ଅଧିକ ଜନସାଧାରଣ କିପରି ଏହି ସେବା ଜ୍ୟୋତି କାର୍ଯ୍ୟକ୍ରମରେ ଭାଗନେବେ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଆଭାସୀ ମାଧ୍ୟମରେ ଶୁଣିପାରିବେ ସେନେଇ ବୈଠକରେ ସମୀକ୍ଷା କରାଯାଇଥିଲା ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।
ଦୁଇ ଦିନିଆ ଓଡିଶା ଗସ୍ତ ଅବସରରେ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସିଂହ ରାଜ୍ୟରେ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବିଭିନ୍ନ ଦଳୀୟ ସାଂଗଠନିକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ଅଛି ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।







