ଦୁବାଇ,16।09: ଭାରତୀୟ ଦଳ ରବିବାର ଏସିଆ କପ୍ ମୁକାବିଲାରେ ପହଲଗାମ ଆକ୍ରମଣର ସାଙ୍କେତିକ ବିରୋଧ କରିବ ବୋଲି ପୂର୍ବରୁ ସୂଚନା ରହିଥିଲା। ଟସ୍ ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଗାଙ୍କ ସହ ହାତ ନ ମିଳାଇ ଏବଂ ସୌଜନ୍ୟମୂଳକ କଥାବାର୍ତ୍ତା ନହୋଇ ଏହାର ଛୋଟିଆ ଝଲକ ଦେଇଥିଲେ। ଛକା ମାରି ଭାରତର ବିଜୟ ମୁଣ୍ଡି ମାରିବା ପରେ ସୂର୍ଯ୍ୟକୁମାର ଏବଂ ନନ୍ଷ୍ଟ୍ରାଇକର ଶିବମ ଦୁବେଙ୍କ ସହ ସିଧାସଳଖ ପ୍ୟାଭିଲିୟନ ଫେରିଥିଲେ। ପାକିସ୍ତାନୀ ଖେଳାଳିଙ୍କ ସହ ହାତମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ। ଅନ୍ୟ ଭାରତୀୟ ଖେଳାଳିମାନେ ମଧ୍ୟ ପରମ୍ପରା ବିପରୀତ ଡ୍ରେସିଂ ରୁମ୍ ତଳକୁ ଆସି ପାକିସ୍ତାନ ଦଳକୁ ଭେଟି ନଥିଲେ କିମ୍ବା ହାତ ମିଳାଇ ନଥିଲେ। ବରଂ ସୂର୍ଯ୍ୟ ଓ ଶିବମ ପହଞ୍ଚିବା ପରେ କାଳେ କେଉଁ ପାକିସ୍ତାନୀ ଖେଳାଳି ନିଜ ତରଫରୁ ହାତମିଳାଇବାକୁ ଆସିଯିବେ, ସେଥିପାଇଁ ତୁରନ୍ତ ଡ୍ରେସିଂ ରୁମ୍ର ଦ୍ବାର ବନ୍ଦ କରି ଦେଇଥିଲେ। ଏଭଳି ଦୃଶ୍ୟ ପାକିସ୍ତାନରେ ଝଡ଼ ସୃଷ୍ଟି କରିଛି। ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କ ସହ ପାକିସ୍ତାନର ବହୁ କ୍ରିକେଟ୍ ବିଶେଷଜ୍ଞ ଏଥିଲାଗି ଭାରତୀୟ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଅନ୍ତର୍ଜାତୀୟ ନିୟମ ତଥା ବାଧ୍ୟବାଧତାରେ ମ୍ୟାଚ୍ ଖେଳିଥିଲେ ମଧ୍ୟ ହାତ ମିଳାଇବା ନମିଳାଇବା ସଂପୂର୍ଣ୍ଣ ଉପରେ ଭାରତୀୟ ଖେଳାଳିଙ୍କ ଉପରେ ନିର୍ଭର କରୁଥିଲା ବୋଲି ଭାରତୀୟ କ୍ରିକେଟ୍ ବିଶେଷଜ୍ଞମାନେ ଏହାର ଉତ୍ତର ଦେବାକୁ ଯାଇ ପ୍ରକାଶ କରିଥିଲେ। ଏହି ଘଟଣା ପରେ ମଧ୍ୟ ପାକିସ୍ତାନ ଅଧିନାୟକ ସଲମାନ ଆଗା ମ୍ୟାଚ୍ ପରବର୍ତ୍ତୀ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ନଥିଲେ। ସେହିଭଳି ପ୍ରଶିକ୍ଷକ ମାଇକ୍ ହେସନ୍, ଭାରତର ଏଭଳି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ହତାଶା ଜାହିର କରିଥିଲେ।
ସୂର୍ଯ୍ୟକୁମାର କିନ୍ତୁ ପୁରସ୍କାର ବିତରଣୀ ଉତ୍ସବ ବେଳେ ଦେଇଥିବା ସାକ୍ଷାତକାର ଏବଂ ପରବର୍ତ୍ତୀ ସାମ୍ବାଦିକ ସମ୍ମଳନୀରେ ଭାରତୀୟ ଦଳ ଏଭଳି ପଦକ୍ଷେପ ନେବାର କାରଣ ଉପରୁ ସ୍ପଷ୍ଟ ଭାବେ ପରଦା ଉଠାଇଥିଲେ। ସେ କହିଥିଲେ, ଆମେ ଦଳଗତ ଭାବେ ଏଭଳି ନିଷ୍ପତ୍ତି ନେଇଥିଲୁ। ଆମେ ଏଠାକୁ ଖେଳିବାକୁ ଆସିଛୁ। ସେମାନଙ୍କୁ (ପାକିସ୍ତାନକୁ) ଦୃଢ଼ ଜବାବ ବି ଦେଇଛୁ। କିଛି କଥା ଖେଳୁଆଡ଼ ମନୋଭାବଠାରୁ ଉର୍ଦ୍ଧ୍ବରେ ଥାଏ। ଆମେ ଏହି ବିଜୟ ‘ଅପରେସନ୍ ସିନ୍ଦୂର’ରେ ଅଂଶଗ୍ରହଣ କରିଥିବା ଆମ ସଶସ୍ତ୍ର ସେନାର ଯବାନମାନଙ୍କୁ ସମର୍ପିତ କରୁଛୁ। ପହଲଗାମ ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ପରିବାର ସହ ଠିଆ ହୋଇଛୁ। ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଗୌତମ ଗମ୍ଭୀର ମଧ୍ୟ ଭାରତର ଏହି ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଏହି ମ୍ୟାଚ୍ ଆମ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଥିଲା। କାରଣ ଏକ ଦଳ ଭାବେ ଆମେ ପହଲଗାମ ଆତଙ୍କବାଦ ପୀଡ଼ିତଙ୍କ ପରିବାରଙ୍କ ପ୍ରତି ଥିବା ଦୃଢ଼ ସମର୍ଥନକୁ ଦର୍ଶାଇବାକୁ ଚାହୁଥିଲୁ। ତା’ଠାରୁ ବଡ଼ କଥା ହେଲା ଆମେ ଆମ ସେନା ବାହିନୀକୁ ଅପରେସନ୍ ସିନ୍ଦୂରର ବିଜୟ ପାଇଁ ଧନ୍ୟବାଦ ଦେବାକୁ ଚାହୁଥିଲୁ।



