
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଫିଲ୍ମ ସେନ୍ସର ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍ସି)ର ପୁନର୍ଗଠନ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଠନ ହୋଇଥିବା ନୂଆ ବୋର୍ଡରେ ୧୮ ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଅଭିନେତା ପଙ୍କଜ ତ୍ରିପାଠୀ, ସୁନୀଲ ସେଟ୍ଟି, ମନୋଜ ଯୋଶୀ, ପ୍ରସନ୍ଜିତ୍ ଚାଟାର୍ଜୀ, ଅଭିନେତ୍ରୀ ପ୍ରୀତି ଜିଣ୍ଟା, ରୂପାଲି ଗାଙ୍ଗୁଲି, ପଲ୍ଲବୀ ଯୋଶୀଙ୍କ ସମେତ ବହୁ ବରିଷ୍ଠ କଳାକାର ଅଛନ୍ତି ।
ନୂଆ ବୋର୍ଡ ସିନେମାଟୋଗ୍ରାଫ୍ ଆକ୍ଟ ଅନୁସାରେ ୩ ବର୍ଷର ଅବଧି ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାମ କରିବ । ଏହି ବୋର୍ଡରେ କେବଳ ଅଭିନେତା ଅଭିନେତ୍ରୀ ନୁହନ୍ତି, ବରଂ ସିନେମା ଏବଂ ସଙ୍ଗୀତ ଜଗତର ପ୍ରମୁଖ କଳାକାର ରହିଛନ୍ତି । ସେମାନଙ୍କ ମଧ୍ୟରେ ବିନୋଦ ଅନୁପମ, ଅଭିଷେକ ଜୈନ, ରିକି କେଜ, ପ୍ରିୟଦର୍ଶନ, ହଂସରାଜ ହଂସ, ସୁପ୍ରିୟା ୟାର୍ଲାଗଡ୍ଡା, ଯତିନ୍ଦ୍ର ମିଶ୍ର, ନୀଳ ମାଧବ ପଣ୍ଡା, ନିଶିଗନ୍ଧା ୱାଡ, ୱାମନ କେନ୍ଦ୍ରେ, ରମେଶ ପଟାଙ୍ଗେଙ୍କୁ ସାମିଲ କରାଯାଇଛି ।
ଏହି ବୋର୍ଡର କାମ ଫିଲ୍ମକୁ ପ୍ରମାଣିତ ବା ସାର୍ଟିଫାଏ କରିବା ସହ ଜଡ଼ିତ । ଏହାର ନିଷ୍ପତ୍ତିଗୁଡ଼ିକ ଫିଲ୍ମର ରିଲିଜ ଉପରେ ସିଧା ସଳଖ ପ୍ରଭାବ ପକାଇଥାଏ । ଶଶି ଶେଖର ଭେମ୍ପତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ବୈଧାନିକ ଫିଲ୍ମ ପ୍ରମାଣପତ୍ର ପ୍ରଦାନକାରୀ ସଂସ୍ଥାର ଅଧ୍ୟକ୍ଷ ହେବେ । ଅର୍ଥାତ ଏହି ବୋର୍ଡ ଶଶି ଶେଖରଙ୍କ ଅଧୀନରେ କାମ କରିବ । ଏହା ପୂର୍ବରୁ ୨୦୧୭ ଅଗଷ୍ଟରେ ସିବିଏଫ୍ସିର ଔପଚାରିକ ଭାବେ ପୁନର୍ଗଠନ ହୋଇଥିଲା । ଚଳିତ ମାସ ପ୍ରାରମ୍ଭରେ ସେନ୍ସର ବୋର୍ଡ ୬ ବର୍ଷରେ ନିଜର ପ୍ରଥମ ବୈଠକ କରିଥିଲା । ଏହି ବୈଠକରେ ସଦସ୍ୟମାନେ ଫିଲ୍ମ ପ୍ରମାଣପତ୍ର ଏବଂ ରିଭାଇଜିଂ କମିଟିର କାର୍ଯ୍ୟକାରିତା ବାବଦରେ ଆଲୋଚନା କରିଥିଲେ ।








