
ଭୁବନେଶ୍ବର : ୟୁଜିସିର ଚିଠା ଅଧିନିୟମ-୨୦୨୫କୁ ଘୋର ବିରୋଧ କରିଛି ବିଜୁ ଜନତା ଦଳ। ୟୁଜିସି ଚିଠା ନିୟମାବଳୀ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ନେଇ ବିଜେଡି ଅଭିଯୋଗ କରିବା ସହ ପସ୍ତାବିତ ନିୟମାବଳୀ ସଂଘୀୟତା, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାୟତ୍ତତା ଏବଂ ଭାରତରେ ଉଚ୍ଚଶିକ୍ଷାର ଗୁଣବତ୍ତା ପ୍ରତି ସିଧାସଳଖ ବିପଦ ସୃଷ୍ଟି କରୁଛି ବୋଲି କହିଛି।
ଆଜି ଏହି ପ୍ରସଙ୍ଗକୁ ନେଇ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଓ ଜାତୀୟ ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ୟୁଜିସି ଚିଠା ନିୟମାବଳୀ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ସଂଶୋଧିତ ନିୟମ ଲାଗୁ ହେଲେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ର ନିୟନ୍ତ୍ରଣକୁ ଆସିଯିବ। ରାଜ୍ୟପାଳମାନଙ୍କ ଦ୍ୱାରା ପରୋକ୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣ ଜାହିର କରିବା ଏହି ଅଧିନିୟମର ଲକ୍ଷ୍ୟ ଏବଂ ଏହାଦ୍ବାରା ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଚୟନ କିମ୍ବା ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ସଙ୍କୁଚିତ ହେବ । ଏହାଛଡ଼ା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ଗବେଷଣା, ସହଯୋଗ ଏବଂ ଅଧ୍ୟାପକ-କର୍ମଚାରୀ ଚୟନ ଦାୟିତ୍ୱରେ ଥିବା କମିଟିଗୁଡ଼ିକର କ୍ଷମତାକୁ ମଧ୍ୟ ସଂକୁଚିତ କରି ଦିଆଯିବ । ଏହି ଅଧିନିୟମ ଲାଗୁ ହେବା ପରେ ସମସ୍ତ କ୍ଷମତା କୁଳାଧିପତିଙ୍କଠାରେ (ଅର୍ଥାତ୍ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ) କେନ୍ଦ୍ରିତ ହେବ। ଯାହା ଭାରତୀୟ ସମ୍ବିଧାନରେ ଥିବା ସଂଘୀୟ ନୀତିକୁ ସ୍ପଷ୍ଟ ଭାବରେ କ୍ଷୁର୍ଣ୍ଣ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି।
ଅନ୍ୟପଟେ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ କହିଛନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକୁ ପାଣ୍ଠି ଏବଂ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ, ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରାଯାଉଛି। କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଯଦି କୌଣସି ରାଜ୍ୟ ସରକାରଙ୍କ ପ୍ରତିନିଧି ନରହିବେ, କେବଳ ବିଜ୍ଞାପନ ବାହାରିବ ଓ ସେମାନେ ଶିକ୍ଷା ବ୍ୟତୀତ ଅନ୍ୟ କ୍ଷେତ୍ରରୁ ଆସିବେ। ତାହେଲେ ସଂଘୀୟ ସ୍ବୟଂଶାସନ କେଉଁଠି ରହିବ ? ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ ଏହାକୁ ବିରୋଧ କରିଛନ୍ତି। ଏହି ନିୟାମକ ଦ୍ବାରା କୁଳାଧିପତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବେ। ଏହି ଚିଠା ନିୟାମକକୁ ସଂଶୋଧନ କରା ନଗଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି ଦିଆଯାଇଛି ଚେତାବନୀ।
ୟୁଜିସି ଚିଠା ନିୟାମକ-୨୦୨୫କୁ ୨୦୧୮ରେ ପ୍ରସ୍ତୁତ କରାଯାଇଥିଲା। ସେଥିରେ ରାଜ୍ୟ ବିଶ୍ବବିଦ୍ୟାଳୟର ସ୍ବୟଂଶାସନ, ନିଯୁକ୍ତି ଆଦି ପ୍ରସଙ୍ଗ ସଂଘୀୟ ବ୍ୟବସ୍ଥା ଉପରେ ପର୍ୟ୍ୟବସିତ ଥିଲା। ମାତ୍ର ବର୍ତ୍ତମାନର ନିୟାମକକୁ ଅନେକ ଆଶଙ୍କା ରହିଥିବା ବିଜେଡି କହିଛି। ସଂଘୀୟ ବ୍ୟବସ୍ଥା ଅନୁସାରେ କୁଳପତି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ଦରକାର। ସବୁ ଅଂଶୀଦାର ମାନଙ୍କ ସହ ଆଲୋଚନା ହେବା ଦରକାର। ନିଯୁକ୍ତି ପାଇଁ ଯେଉଁ ନୀତିନିୟମ ରହିଛି ସେଥିରେ ଯେକୌଣସି ବ୍ୟକ୍ତି କୁଳପତି ହୋଇପାରିବେ। ଏଥିରେ ବାହ୍ୟ ହସ୍ତକ୍ଷେପ ନରହିବା ବିଜେଡିର ମତ। ଦଳ କହିଛି-ସର୍ଚ୍ଚ କମିଟି, ଚୟନ କମିଟିର ସଂଶୋଧନ ହେଉ। ବିଶ୍ଵବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ପାଇଁ ଏହି ନିୟାମକ ଅଣାଯାଇଛି ବୋଲି କହିଛି ବିଜେଡି। ଦଳ ଦାବି କରିଛି ଏହି ଚିଠା ବଦଳାଯାଉ। କାରଣ ଏହା ରାଜ୍ୟର ଜ୍ଞାନର ସ୍ବାର୍ଥ ବିରୋଧୀ।
ସେହିପରି ବିଜେଡି ଦୃଢ଼ ଭାବରେ ବିଶ୍ୱାସ କରେ ଯେ ନିୟମାବଳୀ ଚୂଡ଼ାନ୍ତ କରିବା ପୂର୍ବରୁ ଟଏଉ ଏହି କଠୋର ବ୍ୟବସ୍ଥାଗୁଡ଼ିକର ପୁନର୍ବିଚାର କରିବା ଉଚିତ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ନିୟନ୍ତ୍ରଣ କେନ୍ଦ୍ରୀଭୂତ କରିବାର ଯେକୌଣସି ପ୍ରୟାସକୁ କଡ଼ା ବିରୋଧର ସମ୍ମୁଖୀନ କରାଯିବ। ଆମେ ରାଜ୍ୟ ପ୍ରତିଷ୍ଠାନଗୁଡ଼ିକର ସ୍ୱାୟତ୍ତତାକୁ ସୁରକ୍ଷା ଦେବା ଏବଂ ଭାରତର ଶିକ୍ଷା ବ୍ୟବସ୍ଥାରେ ସହଯୋଗ ସଂଘୀୟତାର ଭାବନାକୁ ବଜାୟ ରଖିବା ପାଇଁ ପ୍ରତିବଦ୍ଧ।




