
ଭୁବନେଶ୍ୱର: ଆଉ ୫ ନୁହେଁ ମାସକୁ ୧୦ କେଜି ଲେଖାଏଁ ଚାଉଳ ପାଇବେ ପ୍ରତି ରାସନକାର୍ଡ ହିତାଧିକାରୀ। ଏଥିପାଇଁ ଗତକାଲି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ ମିଳିଛି କ୍ୟାବିନେଟ୍ ମୋହର। ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି- ୩କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମାସକୁ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିଳିବ ଓ ଏଥିପାଇଁ ବର୍ଷକୁ ୮, ୮୧୩ କୋଟି ଟଙ୍କା ବ୍ୟୟ ହେବ। ତେଣେ ଏଭଳି ଯୋଜନାକୁ ସରକାରଙ୍କ ପଞ୍ଚାୟତ ନିର୍ବାଚନ ଥୋପ କହି ବିରୋଧୀ ନିଶାନା କରିଥିବାବେଳେ ଯୋଗାଣମନ୍ତ୍ରୀ ରଖିଛନ୍ତି ଜବାବ। କହିଛନ୍ତି ଏ ନିଷ୍ପତ୍ତି ଐତିହାସିକ ଓ ଗରିବ ଲୋକଙ୍କ ପାଇଁ ହିତକର। ପଞ୍ଚାୟତନ ନିର୍ବାଚନ ସହ ଏହାର କୌଣସି ସଂପର୍କ ନାହିଁ।
ରାଜ୍ୟ କ୍ୟାବିନେଟ୍ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏ ବଡ଼ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ରାଜ୍ୟ ସରକାର ଏ ନୂଆ ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ବର୍ଷକୁ ଖର୍ଚ୍ଚ ହେବ ୮, ୮୧୩ କୋଟି। ଯେଉଁଥିରେ ଉପକୃତ ହେବେ ୧ କୋଟି ୯୬ ହଜାର ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ହିତାଧିକାରୀ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ ହେବ। ଯେଉଁଥିରେ ମାସକୁ ହାରାହାରି ୧.୬୪ ଲକ୍ଷ ମେଟ୍ରିକ୍ ଟନ୍ ହିସାବରେ ବାର୍ଷିକ ୧୯.୭୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପିଡିଏସ୍ କେନ୍ଦ୍ର ମାଧ୍ୟମରେ ବଣ୍ଟନ କରାଯିବ। ଏଥିପାଇଁ ମାସକୁ ହାରାହାରି ୭୩୪ କୋଟି ଟଙ୍କା ହିସାବରେ ବର୍ଷକୁ ୮, ୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ।
ତେବେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’କୁ କ୍ୟାବିନେଟ୍ ମୋହର ବାଜିବାର ୨୪ ଘଣ୍ଟା ନପୁରୂଣୁ ଆରମ୍ଭ ହୋଇଯାଇଛି ରାଜନୀତି। ବିଧାନସଭା ଚାଲିଥିଲାବେଳେ କାହିଁକି ଏ ଘୋଷଣା କଲେନି ବୋଲି କଂଗ୍ରେସ ଆପତ୍ତି ଉଠାଇ- ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେପି ସରକାର ଏଭଳି ଯୋଜନା ଆଣିଥିବା ଅଭିଯୋଗ କରିଛି।
ସେମିତି ବିଜେଡି ମଧ୍ୟ ପଞ୍ଚାୟତ ନିର୍ବାଚନ ଥୋପ ଆକ୍ଷେପକୁ ଦୋହରାଇ କହିଛି-କେନ୍ଦ୍ର ରାଜ୍ୟରୁ ଚାଉଳ ଉଠାଉନି କି ଗୋଦାମରେ ରଖିବାକୁ ଜାଗା ନାହିଁ। ମଣ୍ଡିରୁ ଧାନ ଉଠୁନଥିବାରୁ ଜନ ଅସନ୍ତୋଷ ଘୋଡ଼ାଇବାକୁ ଏହା ଏକ ଚାଲ୍। ଜବାବରେ ଯୋଗାଣମନ୍ତ୍ରୀ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ନିଆଯାଇଛି। ପଞ୍ଚାୟତ ନିର୍ବାଚନ ସହ ୟାକୁ ବିରୋଧୀ ଯୋଡ଼ିବାର କୌଣସି ପ୍ରାସଙ୍ଗିକତା ନାହିଁ।
ସେପଟେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ ୫ ବଦଳରେ ୧୦ କିଲୋ ଚାଉଳ ମିଳିବ ଶୁଣି ହିତାଧିକାରୀ ଖୁସ୍। ଗରିବ ପରିବାରରେ ରହୁଥିବା ଅଧିକ ସଂଖ୍ୟକ ସଦସ୍ୟଙ୍କ ପାଇଁ ଏହା ବରଦାନ ସଦୃଶ ହେବ ବୋଲି ସେମାନେ କହିଲେଣି।




