
ଭୁବନେଶ୍ବର: ମୌସୁମୀ ଟ୍ରପ ସହ ଘୁର୍ଣ୍ଣିବଳୟର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅନେକ ସ୍ଥାନରେ ଵର୍ଷା ସମ୍ଭାବନା ଥିବାବେଳେ ୩ ଘଣ୍ଟା ପାଇଁ ୧୨ଟି ଜିଲ୍ଲାକୁ ବିଜୁଳି ଏବଂ ଘଡଘଡ଼ି ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୨ଟି ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ସେସବୁ ଜିଲ୍ଲା ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ନବରଙ୍ଗପୁର, ବରଗଡ଼, ବୌଦ୍ଧ, ନୟାଗଡ଼, କଟକ, ଖୋରଧା ଏବଂ ପୁରୀ। ଏସବୁ ଜିଲ୍ଲାରେ ୩ ଘଣ୍ଟା ପାଇଁ ହାଇ ଆଲର୍ଟ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଟ୍ରପ ଲାଇନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ୟ୍ୟନ୍ତ ବ୍ୟାପିଛି । ଏହାସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଓ ଗ୍ୟାଙ୍ଗେଟିକ ୱେଷ୍ଟ ବେଙ୍ଗଲ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ସମୁଦ୍ରପତନଠାରୁ ୦.୯ କିମି ପର୍ୟ୍ୟନ୍ତ ପ୍ୟାପିଛି । ଏହି ଦୁଇ ସିଷ୍ଟମ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସାରା ରାଜ୍ୟରେ ବର୍ଷା ସହ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ସେହିପରି ଗଂଜାମ, ଗଜପତି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର,ଦେଓଗଡ଼, ସମ୍ବଲପୁର,ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହି ୧୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ସହ ଅବଶିଷ୍ଟ ୧୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଆସନ୍ତାକାଲି ଯାଏଁ (୮ ତାରିଖ) ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ୧୨ ତାରିଖ ପର୍ୟ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୱେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।




