
ଭୁବନେଶ୍ୱର : ବର୍ତ୍ତମାନର ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ପ୍ରଭାବରେ ୧୬ ଯାଏ ବର୍ଷା ଲାଗି ରହିବ। ପୁଣି ୨୨/୨୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉପରକୁ ଗତି କରି ୧୬ରେ ଓଡ଼ିଶା ଉପକୂଳ ଓ ୧୯ରେ ପଶ୍ଚିମ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଯିବ। ୧୪ରୁ ୧୯ ଯାଏଁ ରାଜ୍ୟରେ ଏହା ବର୍ଷା କରାଇବ । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ୬ ଦିନ ଧରି ସ୍ପଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୭ରୁ ୧୯ ଉପକୂଳ, ବଲାଙ୍ଗୀର, ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୨୨ କିମ୍ବା ୨୩ ତାରିଖବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ହୋଇପାରେ । ଏହା ୨୬ ଯାଏ ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିବ । ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ଏହା ବର୍ଷା କରାଇବ। ଅଗଷ୍ଟରେ ନିଅଣ୍ଟିଆ ସ୍ଥିତି ଦୂର ହୋଇଯିବା ସମ୍ଭାବନା ରହିଛି । କେବଳ ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା କମିପାରେ। ଅଗଷ୍ଟ ୧୫ରେ ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଜୟପୁରରେ ସକାଳ ବେଳା ପାଗ ଶୁଖିଲା ରହିବ। ଭୁବନେଶ୍ୱରରେ ସକାଳ ୧୦ଟା ପର୍ୟ୍ୟନ୍ତ ପାଗ ଶୁଖିଲା ରହିପାରେ। ଯଦି ବର୍ଷା ହେବ, ତାହା ହାଲୁକା ହୋଇପାରେ । ମଧ୍ୟାହ୍ନରେ ବର୍ଷାର ସମ୍ଭାବନା ଅଧିକ । ପାଣିପାଗ ବିଭାଗର ଆକଳନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଭଳି ବର୍ଷା ୧୭ ତାରିଖ ପର୍ୟ୍ୟନ୍ତ ରହିବ ।








