୨୫ ବର୍ଷରେ ପ୍ରଥମ ଥର ଦିଲ୍ଲୀ ବାହାରେ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 29 ଅଗଷ୍ଟ 2025: ଆଜି ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ରହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି। ଆଜି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି, ତାହା ଏହି ସବୁ କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇପାରିଛି। ଦଳମତ ନିର୍ବିଶେଷରେ ସଂସଦୀୟ ଓ ବିଭିନ୍ନ ରାଜ୍ୟର କମିଟି ମାନେ ଏହି ବର୍ଗର ସାମଗ୍ରିକ ଉନ୍ନତି ଉପରେ ଧ୍ୟାନଦେଇ ଆସିଛନ୍ତି ବୋଲି ଶ୍ରୀ ବିର୍ଲା କହିଥିଲେ।
ସେ ଆହୁରି ମଧ୍ୟ କହିଲେ ଯେ, ଭୁବନେଶ୍ୱରର ବର୍ତ୍ତମାନର ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି ସମ୍ମିଳନୀରେ, କମିଟି ଯାହା ପ୍ରସ୍ତାବ ଦେବ, ତାହାକୁ କାର୍ଯ୍ୟକାରୀ କରାଯିବ। ଏହାଫଳରେ ଦେଶରେ ଏକ ସମତା ଭିତ୍ତିକ ସମାଜ ଗଠନ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି ତାହା ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇପାରିବ। ଏହାଦ୍ୱାରା ବିକଶିତ ଭାରତ ଗଠନର ଲକ୍ଷ୍ୟ ମଧ୍ୟ ସଫଳ ହେବ ବୋଲି ଶ୍ରୀ ବିର୍ଲା କହିଥିଲେ। ସେ କହିଥିଲେ ଯେ ବାବା ସାହେବ ଆମ୍ବେଦକରଙ୍କର ବିଚାରକୁ ନେଇ ସମ୍ବିଧାନର ମୂଳ ସିଦ୍ଧାନ୍ତ ପ୍ରସ୍ତୁତ କରାଯାଇଛି। ଦୀର୍ଘ ୭୮ ବର୍ଷ ଧରି ଏହି ସିଦ୍ଧାନ୍ତକୁ ନେଇ ଦେଶ ଆଗକୁ ବଢୁଛି। ଏହି ସିଦ୍ଧାନ୍ତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ତଥା ବିଭିନ୍ନ ପଛୁଆ ବର୍ଗଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଆଜିର ଏହି କମିଟିର ଆଲୋଚନା ଓ ଅନୁଶୀଳନରୁ ଯେଉଁ ଯେଉଁ ନୂଆ ଚିନ୍ତାଧାରାର ପରିପ୍ରକାଶ ହେବ, ତାକୁ ଗ୍ରହଣ କରି, ତଥା ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଷ୍ଟ ପ୍ରାକ୍ଟିସେସ୍‌କୁ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକାରୀ କରାଯାଇ, ଏହି ବର୍ଗର ଲୋକଙ୍କ ପାଇଁ ଏକ ସମତା ଭିତ୍ତିକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇ ପାରିବ ବୋଲି ଶ୍ରୀ ବିର୍ଲା କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ ୨୫ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି, ଏବଂ ତାହା ମଧ୍ୟ ଓଡିଶାରେ ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ। ଆଗରୁ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଓଡିଶାରେ ଆୟୋଜିତ ହୋଇଛି ବୋଲି ପ୍ରକାଶ କରି, ଏହାଦ୍ୱାରା ଜାତୀୟ ସ୍ତରରେ ଓଡିଶାର ଗୁରୁତ୍ୱ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ମାନଙ୍କର ବର୍ତ୍ତମାନର ପରିସ୍ଥିତି ଭଲଅଛି ବୋଲି ମନ୍ତବ୍ୟଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆମର ଆଜି ଭଲ ଅଛି, ଆଗାମୀ କାଲି ଖୁବ୍ ଭଲ ହେବ, ନିଶ୍ଚୟ ଭଲ ହେବ।” ଭୁବନେଶ୍ୱରର ଏହି ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢକ୍ତି ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସମୟରେ ଦେଶର ସାମାଜିକ ଓ ରାଜନୈତିକ ସ୍ତର ବହୁତ ସମସ୍ୟା ଦେଇ ଗତି କରୁଥିଲା। ସବୁଠୁ ବଡ ସମସ୍ୟା ଥିଲା ଦଳିତ, ଆଦିବାସୀ ମାନଙ୍କର। ତେବେ ବାବା ସାହେବ ଆମ୍ବେଦକରଙ୍କ ସିଦ୍ଧାନ୍ତ ଓ ମାର୍ଗ ଅନୁସରଣ କରି ଆଜି ଦେଶରେ ଦଳିତ ଓ ଆଦିବାସୀ ମାନଙ୍କର ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ସେମାନେ ଯେପରି ସମ୍ପୂର୍ଣ୍ଣ ଭାବେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଏବଂ ବିକଶିତ ଭାରତ ଗଠନରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିପାରିବେ, ସେ ଦିଗରେ ଉଦ୍ୟମ ତ୍ୱରାନ୍ୱିତ ହୋଇଛି। ପିଏମ୍ ଜନମନ୍, ଧର୍‌ତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ପରି ଯୋଜନା ଗୁଡିକ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡିଶାର ୪୦ ପ୍ରତିଶତ ଜନସାଧାରଣ ଦଳିତ ଓ ଜନଜାତି ବର୍ଗର ପ୍ରତିନିଧିତ୍ୱ କରନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକାଶ ସହିତ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରୁଛନ୍ତି। ଜନଜାତି ଭାଷାରେ ପାଠପଢାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ସବୁ ଦୃଷ୍ଟିରୁ ଏକ ଐତିହାସିକ ସମ୍ମିଳନୀ ହେବ। ଏହି ସମ୍ମିଳନୀର ମତାମତକୁ ନେଇ ନୂଆ ନୂଆ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ମୁଖ୍ୟସ୍ରୋତରେ ସାମିଲ ହୋଇ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି କହିଥିଲେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ