
କଟକ: ସ୍ବାଧୀନତା ସଂଗ୍ରାମୀଙ୍କୁ ଦୁଇ ମାସ ଭିତରେ ପେନ୍ସନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଦୁଇ ମାସ ଭିତରେ ଆବେଦନକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ ପେନସନ (ଅଣବନ୍ଦୀ) ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହିତ ଆବେଦନକାରୀଙ୍କୁ ଏପରି ପେନସନ୍ ବାବଦ ବକେୟା ପ୍ରାପ୍ୟ ମଧ୍ୟ ଏହି ଅବଧି ଭିତରେ ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଦର୍ଶନ ବେହେରାଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଶେଷରେ ହାଇକୋର୍ଟରୁ ନ୍ୟାୟ ମିଳିଛି । ସ୍ବାଧୀନତା ସଂଗ୍ରାମୀ ପେନସନ ସଂପର୍କିତ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏ ସଂପର୍କିତ ବାସ୍ତବ ଦାବି ଗୁଡ଼ିକ ପ୍ରତି କର୍ତ୍ତୃପକ୍ଷ ଯତ୍ନବାନ ହେବା ଉଚିତ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।ମାମଲାର ବିବରଣୀରୁ ଜଣା ପଡ଼ିଛି ଯେ, ସୁଦର୍ଶନ ବେହେରା, ୧୬ ବର୍ଷ ବୟସରେ ୧୯୪୦ରୁ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ବ୍ରିଟିଶ ସରକାରଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ । କିନ୍ତୁ ଜେଲ ଯିବା ସଂପର୍କିତ ପ୍ରମାଣପତ୍ର ସେ ହାସଲ କରିପାରିନଥିଲେ । ଭାରତ ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ପେନସନ ଯୋଜନା ଅନୁସାରେ, ସେ ପେନସନ ପାଇଁ ଗତ ୧୯୮୭ରେ ଆବେଦନ କରିଥିଲେ ମଧ୍ୟ ଏହାକୁ ବିଚାରକୁ ନିଆଯାଇ ନଥିଲା ।








