
ଦେବଗଡ଼:ରଥଯାତ୍ରା ଉପଲକ୍ଷେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗାଁଠୁ ସହର ସବୁଠି ଗଡିଥିଲା ରଥ।ପୌରାଚଂଳର ରାଜରାଜୁଡା ଅମଳର ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଥମ ଦିନ ସକାଳେ ତିନି ଠାକୁରଙ୍କ ବିଭିନ୍ନ ନୀତି କରାଯାଇଥିଲା।ପରେ ସଂଧ୍ୟାରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା।ପରମ୍ପରା ଅନୁସାରେ ପୂର୍ବ ସାଂସଦ ତଥା ରାଜା ନିତେଶ ଗଙ୍ଗଦେବଙ୍କ ଅନୁପସ୍ଥିତିରେ ଆଜି ବାମଣ୍ଡା ରାଜପରିବାରର ସଦସ୍ୟ ନମନ ଗଙ୍ଗଦେବ, ରାନେଶ ଗଙ୍ଗଦେବ, ବଡପଣ୍ଡା ସନ୍ତୋଷ ନାୟକ ଉପସ୍ଥିତ ରହି ଛେରାପହଁରା ନୀତି କରିବା ସହ ରଥରେ ମଙ୍ଗଳଆଳତୀ କରିଥିଲେ।ଏହାପରେ ଭକ୍ତମାନେ ୩ ଠାକୁରଙ୍କୁ ଦର୍ଶନ କରିଥିଲେ।ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା।ପୁରୁଣାଗଡର ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା,ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡେ ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।ଜିଲ୍ଲାରେ ଥିବା ପୁରୁଣାଗଡରେ ଥିବା ଜଗନ୍ନାଥ ମନ୍ଦିରରରେ କେଉଁ କାଳରୁ ଗୋଟିଏ ଦିନ ବିଳମ୍ୱରେ ରଥଟଣା ହୋଇଥାଏ।ରଥଯାତ୍ରାଦିନ କେବଳ ତିନି ଠାକୁରଙ୍କୁ ମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ।ପ୍ରଥମ ଦିନ କେବଳ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ଶୁକ୍ରବାର ଓ ଶନିବାର ଦିନ ୨ଦିନ ଧରି ରଥଟଣା ହୋଇଥିଲା ।ପରେ ତିନି ଠାକୁର ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲେ।ରଥଯାତ୍ରାରେ ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତ,ଓଲଟବର ବଜରଙ୍ଗୀ କମିଟି ଓ ଏବିଭିପି ସଦସ୍ୟ ମାନେ ସହଯୋଗ କରିଥିଲେ।ଶୃଙ୍ଖଳାକୁ ଆଖି ଆଗରେ ରଖି ତିନି ଦିନ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।




