
ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ରୋହତକ ସ୍ଥିତ ସୁନାରିଆ ଜେଲ୍ରେ ବନ୍ଦୀ ଥିବା ବାବା ରାମ୍ ରହିମ୍ ପାରୋଲରେ ଆସି ସିରସା ଡେରା ଅଭିମୁଖେ ଯାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ତାଙ୍କର ଜନ୍ମଦିନ ରହିଛି। ତେଣୁ ସିରସା ଡେରାରେ ରକ୍ଷା ବନ୍ଧନ ପରେ ରାମ ରହିମ୍ଙ୍କ ଜନ୍ମୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ବାବା ରାମ ରହିମ୍ ୨୦୧୭ରୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ରୋହତକର ସୁନାରିଆ ଜେଲ୍ରେ ସଜା କାଟୁଛନ୍ତି। ରାମ ରହିମଙ୍କ ଜେଲରୁ ବାହାରକୁ ବାହାରିବା କିଛି ନୂଆ କଥା ନୁହେଁ। ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀରେ ନିର୍ବାଚନ ସମୟରେ ସେ ପାରୋଲରେ ବାହାରିଥିଲେ। ଶେଷ ଥର ପାଇଁ ସେ ୧୦ ଏପ୍ରିଲରେ ୨୧ ଦିନିଆ ଫର୍ଲୋରେ ଜେଲରୁ ବାହାରକୁ ଆସିଥିଲେ।
ଜେଲରେ ଏକ ନିର୍ଦ୍ଦିଷ୍ଟ ସମୟ କାଟିବା ପରେ, କୋର୍ଟରେ ପାରୋଲ ଏବଂ ଫର୍ଲୋ ପ୍ରକ୍ରିୟା ଆରମ୍ଭ ହୁଏ। ତେବେ ପାରୋଲର ଅବଧି ଦଣ୍ଡରେ ଯୋଡା ଯାଏ ନାହିଁ କିନ୍ତୁ ଫର୍ଲୋର ଅବଧି ଦଣ୍ଡରେ ଯୋଡା ଯାଏ। ରାମ ରହିମ୍ ୨୦୨୫ ମସିହାରେ ତୃତୀୟ ଥର ପାଇଁ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କୁ ଫେବୃଆରୀ ଏବଂ ଏପ୍ରିଲରେ ୨୧ ଦିନର ଫର୍ଲୋ ମିଳିଛି। ୨୦୧୭ ମସିହାରୁ ସେ ୧୪ ଥର ଜେଲ୍ରୁ ବାହାରକୁ ଆସି ସାରିଲେଣି।