
ପୁରୀ: ବୁଧବାର ୪ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ନିଷ୍ପତି ନିଆଯାଇଛି । ସକାଳ ୬ଟାରୁ ୧୦ ପର୍ୟ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।
ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ୟ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ତାହା ସହ ଗର୍ଭଗୃହ ଭିତରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ସକାଳ ୮ଟା ୨୦ ମିନିଟ୍ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରି ଯିବାର କାର୍ୟ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।








