
ଭୁବନେଶ୍ୱର: ବର୍ତ୍ତମାନ ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ବିଭିନ୍ନ ମଡେଲକୁ ଅନୁଶୀଳନ କରି ଆଗାମୀ ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ ଜାରି କରିଛି । ଏହି ପୂର୍ବାନୁମାନ କହୁଛି, ଆସନ୍ତା ୬ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୩-୪ ଦିନ ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବା ସମ୍ଭାବନା ଅଛି । ସେହିପରି ଜୁଲାଇ ୧୧ରୁ ୧୭ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ ଉତ୍ତର ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ-ଓଡ଼ିଶା ଏବ ବାଂଲାଦେଶ ଉପରେ । ଏବେ ଗୋଟିଏ ଘୂର୍ଣ୍ଣିବଳୟ ଥିବାବେଳେ ଆଗକୁ ଆଗ ପଛ ହୋଇ ଆଉ ଦୁଇଟି ଘୂର୍ଣ୍ଣିବଳୟ ଓଡ଼ିଶା ମୁହାଁ ହେବେ । ଏଥିରୁ ସ୍ପଷ୍ଟ-ଓଡ଼ିଶାରେ ବର୍ତ୍ତମାନ ଶୁଖିଲା ପାଗ ଆଶା କମ୍ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ହେଲା-ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଓ ପବନ ହୋଇପାରେ । ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଶନିବାର ବାହୁଡ଼ା ଯାତ୍ରା ଦିନ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ, ଉପକୂଳର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖ (ରବିବାର) ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣର ଅନେକ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୭ରୁ ବର୍ଷା ପ୍ରକୋପ କମିବ । ତଥାପି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।








