
ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି ।ତେବେ ଚଳିତ ବର୍ଷ ମୌସୁମୀ ସଅଳ ଓଡ଼ିଶା ଛୁଇଁବା ଏକପ୍ରକାରର ରେକର୍ଡ ବୋଲି କୁହାଯାଉଛି । ୧୯୯୯ ମସିହାରେ ମେ ୨୮ ତାରିଖ ଦିନ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିପରି ୨୦୦୯ ମେ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା ।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମୌସୁମୀ ଋତୁର ପ୍ରଥମ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ। ଉତ୍ତର ପଶ୍ଚିମ ବଙ୍ଗୋସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ରମଶଃ ଉତ୍ତର ଦିଗକୁ ଗତି କରି ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ଫଳରେ ରାଜ୍ୟରେ ୩୧ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।
ମୌସୁମୀ ଋତୁର ପ୍ରଥମ ଲଘୁଚାପ ପ୍ରଭାବରେ ଆସନ୍ତା ୩-୪ଦିନ ପର୍ୟ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ। ଅନ୍ୟପଟେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାକୁ ଥିବାରୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଏସ୍ଆର୍ସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳ ସାଢ଼େ ୮ଟାରେ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହି ଲଘୁଚାପ ଧୀରେଧୀରେ ଉତ୍ତର ଦିଗ ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇଛି। ଏହା ପ୍ରଭାବରେ ଆଗାମୀ ୩-୪ ଦିନ ଯାଏଁ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।








