
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରେ ସ୍ବାଭାବିକ ବର୍ଷିବ। ଉତ୍ତର-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନ, ପୂର୍ବ ଏବଂ କେନ୍ଦ୍ରୀୟ ଭାରତ କିଛି ଅଞ୍ଚଳରେ ସ୍ବାଭାବିକରୁ କମ୍ ବର୍ଷା ହୋଇପାରେ। ଓଡ଼ିଶାରେ ସ୍ବାଭାବିକଠାରୁ କମ୍ ବର୍ଷାର ସମ୍ଭାବନା ରହିଛି। ଚଳିତ ମାସରେ ସର୍ବାଧିକ ତାପମାତ୍ରା ଉପକୂଳ ଓଡ଼ିଶାରେ ସ୍ବାଭାବିକରୁ ଅଧିକ ରହିବ। ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ସ୍ବାଭାବିକ ରହିପାରେ। ରାତି ତାପମାତ୍ରା ସାରା ରାଜ୍ୟରେ ସ୍ବାଭାବିକଠୁ ଅଧିକ ରହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ବାଲେଶ୍ବର, ପାରାଦ୍ବୀପ, ଭବାନୀପାଟଣା, ସମ୍ବଲପୁର ଏବଂ କେନ୍ଦୁଝର ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ସେସବୁ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।




