
ନୂଆଦିଲ୍ଲୀ: ଭାରତ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ସଫଳତାର ସହ ଚନ୍ଦ୍ରଯାନ-୩କୁ ସଫଳ ଅବତରଣ କରାଇବା ପରେ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଶନିବାର ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୦୩୫ ମସିହା ସୁଦ୍ଧା ଭାରତ ନିଜସ୍ବ ମହାକାଶ ଷ୍ଟେସନ (ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ) ନିର୍ମାଣ କରିବାକୁ ଯୋଜନା କରୁଛି। ଭାରତର ମହାକାଶ ଅଭିଯାନରେ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା)ର ଭୂମିକାକୁ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ନିକଟରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶ ଯାତ୍ରା କରି ଫେରିଛନ୍ତି। ଶୁଭାଂଶୁଙ୍କ ଏହି ଅଭିଜ୍ଞତା ଆଗାମୀ ଦିନରେ ଗଗନଯାନ ଓ ଅନ୍ୟ ମହାକାଶ ଅଭିଯାନରେ ସହାୟକ ହେବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ସ୍ବଦେଶ ଫେରିବାପରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ଅଭିଜ୍ଞତା ବଖାଣିଥିଲେ। ଏହି ଅବସରରେ ଦେଶରେ ମହାକାଶଚାରୀଙ୍କ ଏକ ଟିମ୍ ଗଠନ କରିବାକୁ ଶୁଭାଂଶୁ ପ୍ରସ୍ତାବ ଦେଇଛନ୍ତି। ମୋଦୀ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଆନ୍ତର୍ଜାତିକ ମହାକାଶ ଷ୍ଟେସନ (ଆଇଏସଏସ)ରେ ଅବସ୍ଥାନ କରିବାରେ
ଶୁଭାଂଶୁ ହେଉଛନ୍ତିି ଭାରତର ପ୍ରଥମ ମହାକାଶଚାରୀ। ଆଇଏସଏସ୍ରେ ତ୍ରିରଙ୍ଗା ଉଡିବା ନିଶ୍ଚିତଭାବେ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ ମହାକାଶରୁ ମୋଦୀଙ୍କ ସହ କଥା ହେବା ସମୟରେ ଶୁଭାଂଶୁ ତ୍ରିରଙ୍ଗା ପ୍ରଦର୍ଶନ କରିଥିଲେ। ମୋଦୀ ଆହୁରି କହିଛନ୍ତି ଯେ ଭାରତର ଯୁବ ମହାକାଶ ବିଜ୍ଞାନୀଙ୍କ ଉପରେ ଦେଶର ମହାକାଶ ଅଭିଯାନ ନିର୍ଭର କରୁଛି। ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି।




