
ନୂଆଦିଲ୍ଲୀ : ସେପ୍ଟେମ୍ବର ମାସରେ ଭାରତୀୟ ବାୟୁସେନାକୁ ଦୁଇଟି ଲଢ଼ୁଆ ତେଜସ୍ ମାର୍କ-୧ଏ ମିଳିବ। ପ୍ରତିରକ୍ଷା ସଚିବ ଆରକେ ସିଂ ଏ ନେଇ ସୂଚନା ଦେଇଛନ୍ତି। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ଏହି ଦୁଇଟି ବିମାନ ଦେବ। ଏହି ବିମାନରେ ଅସ୍ତ୍ରଶସ୍ତ୍ର ଯୋଡି ହୋଇ ରହିବ। ଖୁବଶୀଘ୍ର ତେଜସ୍ ବିମାନ ମିଗ୍-୨୧ ବିମାନର ସ୍ଥାନ ନେବ। ପୁଣି ସରକାର ହାଲ୍ ସହିତ ଏକ ନୂଆ ଚୁକ୍ତି କରିବାକୁ ଯାଉଛନ୍ତି। ଏହି ଚୁକ୍ତି ଅନୁସାରେ ହାଲ୍ଠାରୁ ୯୭ଟି ତେଜସ ବିମାନ କ୍ରୟ କରାଯିବ ଓ ଏଥିପାଇଁ ୬୭,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି।
ବର୍ତ୍ତମାନ ୩୮ଟି ତେଜସ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାରେ ନିୟୋଜିତ ହୋଇଛି। ପୂର୍ବରୁ ୨୦୨୧ରେ ସରକାର ୮୩ଟି ତେଜସ ମାର୍କ-୧ଏ କ୍ରୟ କରିବାକୁ ୪୮,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। କିନ୍ତୁ ଆମେରିକୀୟ ଇଞ୍ଜିନ ପ୍ରାପ୍ତ ହେବାରେ ବିଳମ୍ବ ହେବା କାରଣରୁ ଏହି ବିମାନ ଏପର୍ୟ୍ୟନ୍ତ ବାୟୁସେନାକୁ ମିଳିନାହିଁ। କିନ୍ତୁ ଏବେ ୨୦୨୮ ବେଳକୁ ହାଲ ସବୁ ବିମାନ ବାୟୁସେନାକୁ ଦେବ ବୋଲି ଆଶା କରାଯାଉଛି। ଅଗଷ୍ଟ ୧୯ରେ କେନ୍ଦ୍ର ସରକାର ୬୨,୦୦୦ କୋଟି ଟଙ୍କା ବିନିମୟରେ ୯୭ଟି ଏଲ୍ସିଏ ମାର୍କ-୧ଏ ଜେଟ୍ ହାଲ ସହ ଚୁକ୍ତି କରିଥିଲା। ଏଲ୍ସିଏ ମାର୍କ-୧ଏ ବିମାନ ତେଜସର ଉନ୍ନତ ତଥା ଆଧିୁନିକ ସଂସ୍କରଣ ବିବେଚିତ ହେଉଛି। ଏଥିରେ ଅତ୍ୟାଧୁନିକ ଆଭିଓନିକ୍ସ ଓ ରାଡାର ସିଷ୍ଟମ ରହିଛି।




