
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ଅପରାହ୍ଣରେ ପୁଣି ଦୁଇଟି ଗେଟ୍ ଖୋଲି ଦିଆଯାଇଛି।ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ କ୍ରମାଗତ ଭାବେ ପର୍ୟ୍ୟାୟ କ୍ରମେ ଗେଟ୍ଗୁଡ଼ିକ ଖୋଲାଯାଉଛି। ଏହି କ୍ରମରେ ଆଜି ଅପରାହ୍ଣରେ ପୁଣି ୨ଟି ଗେଟ୍ ଖୋଲି ଦିଆଯାଇଛି। ପୂର୍ବରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ।
ଅନ୍ୟପଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲାଯାଇ ଥିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି। ଜନସାଧାରଣଙ୍କ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ନଦୀକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକେ ନଦୀ ଶଯ୍ୟାଠାରୁ ଦୂରେଇ ରହିବା ସହିତ ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।








