
ଭୁବନେଶ୍ୱର : ଦଶହରାକୁ ଭିଜାଇବ ବର୍ଷା । କିନ୍ତୁ ବଡ଼ ବର୍ଷା ନାହିଁ । ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଅଷ୍ଟମୀ ବା ୩୦ରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଦଶହରା ଦିନ(୨ ତାରିଖ)ରେ ଉପକୂଳରେ ହାଲୁକାରୁ ସ୍ୱଳ୍ପ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଆକଳନ କହୁଛି, ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ରହିଛି । ୨୪ ଓ ୨୫ ତାରିଖରେ ଓଡ଼ିଶା ଉପକୂଳଠାରୁ ଦୂରରେ ଏହି ଲଘୁଚାପ ରହିବ । ୨୬ରେ ଗୋପାଳପୁର ଓ ବିଶାଖପାଟଣା ମଝିରେ(ଶ୍ରୀକାକୁଲମ) ପାଖରେ ଏହି ଲଘୁଚାପ ସ୍ଥଳଭାଗ ଛୁଇଁପାରେ । ୩୦ରେ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଓଡ଼ିଶା ଉପକୂଳ ପାଖରେ ସମୁଦ୍ରରେ ଉତ୍ତର ଆଡ଼କୁ ଆଗେଇବ । ୪ରେ ପଶ୍ଚିମବଙ୍ଗ ଦୀଘା ପାଖକୁ ଆସିବ । କିନ୍ତୁ ଏହା ଘନୀଭୂତ ହେବନି ବୋଲି ସେ କହିଛନ୍ତି । ୨୪ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଓ ଅନ୍ୟ ସ୍ଥାନରେ ବିକ୍ଷିପ୍ତ(୨୦ମିମି ପର୍ୟ୍ୟନ୍ତ) ବର୍ଷା ହୋଇପାରେ । ୨୫ ତାରିଖରେ କେତେକ ସ୍ଥାନରେ ୨୦ମିମିରୁ କମ୍ ବର୍ଷା ହୋଇପାରେ । ୨୬ରେ ଉତ୍ତର ଆଭ୍ୟନ୍ତରକୁ ଛାଡ଼ି ରାଜ୍ୟର ଅନ୍ୟ ସ୍ଥାନରେ ୨୫ମିମି ପର୍ୟ୍ୟନ୍ତ ବର୍ଷା ହେବ । ୨୭ରେ ଭୁବନେଶ୍ୱର ଓ କିଛି ବିକ୍ଷିପ୍ତ ଅଞ୍ଚଳରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୩୦ ଓ ୧ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୧୦ରୁ ୨୫ମିମି ବର୍ଷା ହେବ । ୨ ତାରିଖରେ ଉପକୂଳରେ ହାଲୁକାରୁ ସ୍ୱଳ୍ପ ବର୍ଷା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ ।
ସେହିପରି ୩ରେ ପୂରା ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ହେବ । ତେବେ ଦଶହରା ଭିତରେ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ଆଶଙ୍କା ଅଛି ବୋଲି ସେ କହିଛନ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ଆସନ୍ତା ଗୁରୁବାର ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ୨୬ ତାରିଖ ବେଳକୁ ଏହା ଅବପାତ ରୂପ ନେଇ ୨୭ରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ।


