
କଟକ: ଗତ ୩ ତାରିଖରେ ଦୁର୍ଗପୂଜା ଭସାଣି ବେଳେ କଟକରେ ହୋଇଥିବା ଗଣ୍ଡଗୋଳକୁ ନେଇ ବିଶ୍ୱ ହିନ୍ଦୁ ପରଷଦ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି । ଏପଟେ ରବିବାର ବାହାରିଥିବା ଶୋଭାଯାତ୍ରା ସମୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଯାହାକୁ ନେଇ କଟକରେ ୩୬ ଘଣ୍ଟା ପାଇଁ ୧୩ଟି ସହରାଞ୍ଚଳ ଥାନାରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ସକାଳେ ସହରର ସ୍ଥିତି ଶାନ୍ତ ରହିଥିବା ଅତିରିକ୍ତ ଡିସିପି କହିଛନ୍ତି । ସାରା ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ଗଳି ଗଳିରେ ପ୍ରାୟ ୬୦ ପ୍ଲାଟୁନ ପୋଲିସ ପଇଁତରା ମାରିବା ସହ ସ୍ଥିତି ଉପରେ କଡା ନଜର ରଖିଛନ୍ତି । ୮ କମ୍ପାନୀ ସିଆରପିଏଫ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ମଙ୍ଗଳବାର ସକାଳ ୧୦ଟା ଯାଏ କର୍ଫ୍ୟୁ ବଶବତ୍ତର ରହିବ । କର୍ଫ୍ୟୁ ଭିତରେ କେମିତି ଅଛି କଟକର ସ୍ଥିତି କଣ ଅଛି, କଣ ଖୋଲା ଅଛି, କଣ ବନ୍ଦ ରହିଛି ଆସନ୍ତୁ ଜାଣିବା ।
ସକାଳୁ ସକାଳୁ କଟକ ବସ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ରହିଛି । କଟକରୁ ବିଭିନ୍ନ ସ୍ଥାନକୁ ବସ ଯାଉଛି ଏବଂ ବାହାର ବସ ମଧ୍ୟ କଟକକୁ ଆସିପାରୁଛି।
ରେଳ ଚଳାଚଳ ସ୍ୱାଭାବିକ ରହିଛି । ଯେଉଁମାନଙ୍କର ବିମାନ ଯାତ୍ରା କାର୍ୟ୍ୟକ୍ରମ ରହିଛି ସେମାନେ ଟିକେଟ ଦେଖାଇ ଯାଇ ପାରୁଛନ୍ତି ।
ସହରରେ ପେଟ୍ରୋଲ ପମ୍ପ ଖୋଲା ରହିଛି । ନିହାତି ଜରୁରୀ କାମରେ ଯାଉଥିବା ବ୍ୟକ୍ତି ପେଟ୍ରୋଲ ପମ୍ପରେ ତେଲ ପକାଇ ପାରୁଛନ୍ତି ।
ସରାକରୀ ଅଫିସ, ଶିକ୍ଷାନୁଷ୍ଠାନ ଖୋଲା ରହିଛି । କର୍ମଚାରୀମାନେ ନିଜ ପରିଚୟ ପତ୍ର ଦେଖାଇ ଯାଇ ପାରୁଛନ୍ତି ।
ଔଷଧ, କ୍ଷୀର ଦୋକାନ ଖୋଲା ରହିଛି । ତେବେ ଗ୍ରୋସରୀ ଦୋକାନ ଆଦି ବନ୍ଦ ରହିଛି ।
ଛାତ୍ରଛାତ୍ରୀମାନେ ମଧ୍ୟ ପରିଚୟ ପତ୍ର ଦେଖାଇ ଯାଇ ପାରୁଛନ୍ତି । ବରିଷ୍ଠ ନାଗରିକମାନେ ମଧ୍ୟ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରୁଛନ୍ତି ।
ସାରା ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇ ନିହାତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଉଛି ।
ସହରରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଡାକ୍ତରଖାନାରେ ରୋଗୀ ଔଷଧ କିିଣିବା ପାଇଁ ହଇରାଣ ହେଉଛନ୍ତି । କାରଣ ଫୋନ ପେ ବା ପେଟିଏମରେ ବିଲ ଦେଇ ପାରୁ ନାହାନ୍ତି । ତା ଛଡା ସହରରେ ଥିବା ଏଟିଏମ କାମ କରୁ ନ ଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ଆସିଛି ।







