
ଭୁବନେଶ୍ବର: ପୁଣି ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଚେତାବନୀ ଦେଇଛି ବିଭାଗ । ସେହିପରି ଆହୁରି ଦିନେ କିମ୍ବା ଦୁଇ ଦିନ ଯାଏଁ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆଜି ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନାକୁ ନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଯଥା:-ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ,ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଦେଓଗଡ ସମ୍ବଲପୁର ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସେହିପରି ଆସନ୍ତାକାଲି ମଧ୍ୟ ଉପକୂଳ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡ଼ିକ ହେଲା କୋରାପୁଟ ମାଲକାନଗିରି, ଗଞ୍ଜାମ, ଗଜପତି, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର । ଘୂର୍ଣ୍ଣିବଳୟ ପ୍ରଭାବରେ ୭ରୁ ୧୨ତାରିଖ ଯାଏଁ ବର୍ଷା ଲାଗି ରହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବରେ ରହିବ । ସେହିପରି ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ୭ ତାରିଖ ବେଳକୁ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ କିମ୍ଵା ଲଘୁଚାପ ସୃଷ୍ଟି ହୋଇପାରେ। ଯାହାର ପ୍ରଭାବରେ ୭ ତାରିଖରୁ ବର୍ଷାର ପରିମାଣ ବଢିପାରେ।







