
ପୁରୀ,: ମଙ୍ଗଳବାରଠୁ କାର୍ତ୍ତିକ ବ୍ରତ। ହୁଳହୁଳିରେ ଉଚ୍ଛୁଳିବ ହବିଷ୍ୟାଳି ଶିବିର । ବୟସ୍କା ମା’ଙ୍କ ଭଜନ ଜଣାଣରେ ପୁରୀରେ ଭରିବ ଉନ୍ମାଦନା । କାର୍ତ୍ତିକ ବ୍ରତ କରିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ହବିଷ୍ୟାଳିଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଛି । ସୋମବାର କୁମାର ପୂର୍ଣ୍ଣିମା ଥିବାବେଳେ ମଙ୍ଗଳବାରଠାରୁ ଆରମ୍ଭ ହେବ ରାଈଦାମୋଦର ବ୍ରତ । ହବିଷ୍ୟାଳିମାନେ ମଙ୍ଗଳବାର ସଂକଳ୍ପ କରି ବ୍ରତ ଧାରଣ କରିବେ । ବୟସ୍କ ମା’ମାନେ ଶିବିରରେ ପହଞ୍ଚିବା ପରେ ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଛି । ପରିବାର, ବନ୍ଧୁବାନ୍ଧବ ବୟସ୍କା ମା’ମାନଙ୍କୁ ଆଣି ଶିବିରରେ ଛାଡ଼ି ଯାଇଛନ୍ତି । ପ୍ରଶାସନ ପକ୍ଷରୁ ହୋଇଥିବା ପଞ୍ଜୀକରଣ କେନ୍ଦ୍ରରେ ହବିଷ୍ୟାଳି ମାଆମାନଙ୍କ କାଗଜପତ୍ର ଯାଞ୍ଚ କରାଯାଇ ଆଇକାର୍ଡ ପ୍ରଦାନ କରାଯାଉଛି । ଏଥସହିତ ସରକାରଙ୍କ ତରଫରୁ ହୋଇଥିବା ସ୍ବତନ୍ତ୍ର ହବିଷ୍ୟାଳି କିଟ୍ ଦିଆଯାଇଛି।
ସୂଚନାଥାଉ କି, ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଓ ମୋଚିସାହି କଲ୍ୟାଣ ମଣ୍ଡପଠାରେ ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମା’ମାନଙ୍କର ରହଣି ବ୍ୟବସ୍ଥା ହୋଇଛି । ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି ଓ ସଂପୃକ୍ତ ବିଭାଗର କର୍ମଚାରୀମାନେ ସମସ୍ତ ହବିଷ୍ୟାଳି କେନ୍ଦ୍ର କଣ୍ଟ୍ରୋଲ ରୁମ୍ରେ ରହି କୌଣସି ସମସ୍ୟା ହେଲେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରିବେ । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।







