
ଭୁବନେଶ୍ବର: ଓଡ଼ିଶା ଉଚ୍ଚଶିକ୍ଷା ଅଧିନରେ ଥିବା କଲେଜ ଓ ୟୁନିଭର୍ସିଟିଗୁଡ଼ିକରେ ଖାଲି ପଡ଼ିଛି ହଜାର ହଜାର ସିଟ । ସେ ଯୁକ୍ତ ତିନି ହେଉ ବା ପିଜି ପାଠ୍ୟକ୍ରମ, ସବୁଥିରେ ଖାଲି ପଡ଼ିଛି ସିଟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ସ୍ପଟ୍ ନାମଲେଖା ପାଇଁ ଆବେଦନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଓ ବିଶ୍ବବିଦ୍ୟାଳୟରେ +୩ (UG), ପିଜି (PG), ୨ ବର୍ଷିୟା B.Ed/M.Ed, ୩ ବର୍ଷିୟା LL.B. ଓ ୩ ବର୍ଷିୟା ଇଣ୍ଟିଗ୍ରେଟେଡ୍ B.Ed/M.Ed ପାଠ୍ୟକ୍ରମରେ ଖାଲି ପଡ଼ିଥିବା ସିଟ୍ରେ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅକ୍ଟୋବର ୧୫ ତାରିଖ ଦିନ ଅର୍ଥାତ ଆଜି ୧୧ଟା ସମୟରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଆଶାୟୀମାନେ SAMS ପୋର୍ଟାଲରେ ଆବେଦନ କରିପାରିବେ । ୨୭ ଅକ୍ଟୋବରରେ ରାଙ୍କ କରାଯିବ । ୩୦ ଅକ୍ଟୋବର ନାମଲେଖା ପ୍ରକ୍ରିୟା କରାଯିବ ।
ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ୨୦୨୫-୨୬ ଶିକ୍ଷାବର୍ଷରେ ନାମଲେଖା ଚାଲୁ ରହିଛି । ଚଳିତ ଶିକ୍ଷା ବର୍ଷରେ ମୋଟ ୧୦୫୮ କଲେଜରେ UG ନାମଲେଖା ଚାଲିଛି ।କଳା ବିଭାଗରେ ୧ ଲକ୍ଷ ୫୬ ହଜାର ୪୨୬ ସିଟ ରହିଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୯୫୨ ଜଣ ନାମଲେଖାଇଛନ୍ତି । ବାକି ୩୨ ହଜାର ୪୭୪ଟି ସିଟ ଏବେ ବି ଖାଲି ପଡ଼ିଛି । ଫିଜିକାଲ ସାଇନ୍ସ ବିଭାଗରେ ମୋଟ ସିଟ ୪୫ ହଜାର ୭୮୧ଟି ସିଟ୍ ରହିଥିବା ବେଳେ ନାମ ଲେଖାଇଛନ୍ତି ମାତ୍ର ୨୬ ହଜାର ୬୯୨ ଓ ଖାଲି ପଡ଼ିଛି ୧୯ ହଜାର ୦୮୯ଟି ସିଟ । ବାୟୋଲୋଜିକାଲ ସାଇନ୍ସ ବିଭାଗରେ ମୋଟ ସିଟ ସଂଖ୍ୟା ୨୮ ହଜାର ୭୪୪ । ସେଥିମଧ୍ୟରୁ ୨୦ ହଜାର ୮୩୮ଟି ସିଟରେ ନାମଲେଖା ହୋଇଥିବା ବେଳେ ବାକି ୭ ହଜାର ୯୦୬ ଟି ସିଟ ଏବେ ବି ଖାଲି ପଡ଼ିଛି । ବାଣିଜ୍ୟ ବିଭାଗରେ ମୋଟ ସିଟ ୩୨ ହଜାର ୨୯୨ ରହିଥିବା ବେଳେ ୧୭ ହଜାର ୩୮୫ ସିଟରେ ନାମଲେଖା ହୋଇଛି । ଏବେବି ୧୪ ହଜାର ୯୦୭ ଖାଲି ପଡ଼ିଛି ।
ରାଜ୍ୟରେ ୧୦୫୮ କଲେଜରେ ମୋଟ ସିଟ ସଂଖ୍ୟା ୨ ଲକ୍ଷ ୭୭ ହଜାର ୬୮୯ ସିଟ ରହିଥିବା ବେଳେ ୧ ଲକ୍ଷ ୯୭ ହଜାର ୩୨୮ ସିଟରେ ନାମଲେଖା ହୋଇଛି । ଏବେ ମଧ୍ୟ ୮୦ ହଜାର ୬୭୭ ସିଟ ଖାଲି ପଡ଼ିଥିବା ସାମ୍ସ ପକ୍ଷରୁ ସୂଚନା ମିଳିଛି ।ସେହିପରି ଭାବରେ ପିଜିରେ ମୋଟ ୧୨୬ଟି ମହାବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଲାୟ ରହିଥିବା ବେଳେ ୩୧ ହଜାର ୮୯୩ଟି ସିଟ ରହିଛି । ସେଥିମଧ୍ୟରୁ ଆହୁରି ହଜାର ହଜାର ସିଟ ପୂର୍ଣ୍ଣ ହୋଇପାରୁନାହିଁ । ଯାହାକୁ ନେଇ ଆଉଥରେ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ବର୍ଷୀୟା B.Ed ବିଭାଗରେ ସମ୍ବଲପୁରରେ ୨ଟି କଲେଜ, ଅନୁଗୋଳରେ ୩ଟି କଲେଜରେ ଖାଲି ପଡ଼ିଥିବା ବେଳେ କେନ୍ଦୁଝରରେ ୧, ସୁନ୍ଦରଗଡ଼ରେ ୩ଟି, ଭୁବନେଶ୍ଵରର ରାଜଧାନୀ କଲେଜ, କଟକର ଏସ.ବି ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ୧ କଲେଜରେ ସିଟ ଖାଲି ପଡ଼ିଛି । ତେବେ ୩ ବର୍ଷୀୟା LL.B. ବିଭାଗରେ ମୋଟ ସିଟ ସଂଖ୍ୟା ୩୯୦ ରହିଥିବା ବେଳେ ସେଥିମଧ୍ୟରୁ ୩୫୨ଟି ପୂରଣ ହୋଇଛି । ୩୮ଟି ସିଟ ଖାଲି ପଡ଼ିଛି । ରାଜ୍ୟରେ ମାତ୍ର ୪ଟି ସ୍ଥାନରେ ରହିଛି ୩ ବର୍ଷୀୟା LL.B. ପାଠ୍ୟକ୍ରମ । କଟକର ମଧୁସୂଦନ ଲ’ କଲେଜ, ବ୍ରହ୍ମପୁରର ଲିଙ୍ଗରାଜ ଲ’ କଲେଜ, ଜଟଣୀ ସିୟୁଟିଏମ କଲେଜ ଓ ଭୁବନେଶ୍ଵରର ଉତ୍କଳ ଲ’ କଲେଜ । ୩ ବର୍ଷୀୟା ଇଣ୍ଟିଗ୍ରେଟେଡ B.Ed ଓ M.Ed ପାଠ୍ଯକ୍ରମ ପାଇଁ ମୋଟ ୪ଟି କଲେଜ ରହିଛି । ସେଥିରେ ୨୦୦ଟି ସିଟ ରହିଥିବା ବେଳେ ୨୨୪୨ ଜଣ ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ୧୯୫ ଜଣ ନାମ ଲେଖାଇଛନ୍ତି ।








