
ଭୁବନେଶ୍ବର: ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଶୀତ ପଡ଼ିବା ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ପାଗ ମେଘୁଆ ରହିଥିଲେ ବି ତାହା ଦୂରେଇ ଯିବ। ଫଳରେ ରାଜ୍ୟରେ ପହିଲି ଶୀତ ପଡ଼ିବ। ଆସନ୍ତାକାଲି (ଶୁକ୍ରବାର) ରାତିରୁ କନ୍ଧମାଳ ଜିଲା ବାଲିଗୁଡ଼ା ଏବଂ ଫୁଲବାଣୀ ସହିତ ଗଜପତି ଜିଲାର ଗଦାପୁର ଏବଂ ମୋହନାରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି। ନଭେମ୍ବର ୨ରାତିରୁ ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରୀ ପର୍ୟ୍ୟନ୍ତ କମିପାରେ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ଡିଗ୍ରୀ ତଳକୁ ଖସିପାରେ। ଅକ୍ଟୋବର ୩୧ରେ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ୨ ତାରିଖ ବେଳକୁ ଏନେଇ ସ୍ପଷ୍ଟ ଆକଳନ କରାଯାଇପାରିବ। ପାଣିପାଗ ବିଜ୍ଞାନୀ ବିଶ୍ବଜିତ ସାହୁ କହିଛନ୍ତି, ନଭେମ୍ବର ୧ ବେଳକୁ ମିଆଁମାର ଏବଂ ଏହାର ସଂଲଗ୍ନ ଆଣ୍ଡାମାନ ଅଞ୍ଚଳରେ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ।



