ସୁଭଦ୍ରା ଶକ୍ତି ମେଳା ଉଦ୍‌ଯାପିତ :୧୨ଦିନରେ ୧୨ କୋଟିରୁ ଅଧିକ ବିକ୍ରୟ

ଭୁବନେଶ୍ୱର: ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ବାର ଦିନ ଧରି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅନନ୍ୟ ଉତ୍ସବ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୩୦୦ରୁ ଅଧିକ ଷ୍ଟଲ ମାଧ୍ୟମରେ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ ଏବଂ ବିକ୍ରୟ କରିବା ନିମନ୍ତେ ଏକ ବିଶାଳ ମଞ୍ଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିଛି।

ହସ୍ତତନ୍ତ, ହସ୍ତଶିଳ୍ପ, ବାଉଁଶ ଶିଳ୍ପ ଠାରୁ ଆରମ୍ଭ କରି ପାରମ୍ପରିକ ଖାଦ୍ୟ, ମସଲା ଏବଂ ପରିବେଶ ଅନୁକୂଳ ଉତ୍ପାଦ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଏକ ଜୀବନ୍ତ ବଜାର ଭାବରେ ମହିଳା ଉଦ୍ୟୋଗୀମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗିତାର ପ୍ରଦର୍ଶନ କରିଥିଲା । ମା’ ମାନଙ୍କ ଦ୍ୱାରା ପରିଚାଳିତ ଫୁଡ୍ କୋର୍ଟ ମେଳାର ପ୍ରମୁଖ ଆକର୍ଷଣ ହୋଇ ରହିଥିଲା ବେଳେ, ମା’ ମାନଙ୍କ ହାତ ତିଆରି ସ୍ୱଦେଶୀ ଉତ୍ପାଦ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ପାଇଁ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ପାରମ୍ପରିକ ମିଲେଟ୍ ଜାତୀୟ ଖାଦ୍ୟର ବର୍ତ୍ତମାନ ଯୁଗରେ ଦୈନିକ ଖାଦ୍ୟ ଶୃଙ୍ଖଳାରେ ଆକର୍ଷଣୀୟ ପୁନଃ ପ୍ରବେଶ ପାଇଁ ସୁଭଦ୍ରା ଶକ୍ତି ମେଳା ବୃହତ ଭୂମିକା ଓ ପ୍ରାସଙ୍ଗିକତା ରଖେ। ଦର୍ଶକମାନେ ମିଲେଟ୍ ସହିତ ଓଡ଼ିଶାର ସମୃଦ୍ଧ ବ୍ୟଞ୍ଜନ ପରମ୍ପରାର ଭରପୁର ଉପଭୋଗ କରିଥିଲେ। ମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ଓ କ୍ରୀଡ଼ା ଉପକରଣର ବ୍ୟବସ୍ଥା କରାଯାଇଥିଲା। ପ୍ରତିଟି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ସୁଭଦ୍ରା ଶକ୍ତି ମେଳାର ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶାର ହସ୍ତତନ୍ତ ଓ ପାରମ୍ପରିକ ଗହଣା ପରହିତ ମଡେଲମାନଙ୍କର ଫ୍ୟାସନ ଶୋ।
ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ପାଦ ବିକ୍ରୟର ସୁଯୋଗ ପ୍ରଦାନ କରିବା, ଅନ୍ୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ବର୍ଷ ମେଳାରେ ୬୯ ଟି ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ମେଳାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ସେହିପରି ୩୨୮ ଜଣ ମହିଳା ବହୁ ପରିମାଣର ଉତ୍ପାଦ ବିକ୍ରୟ କରି ଲକ୍ଷପତି ଦିଦି ଓ ୧୦ ଜଣ ଲକ୍ଷପତି ଦିଦି ମହାଲକ୍ଷପତି ଦିଦିରେ ରୂପାନ୍ତରିତ ହୋଇ ପାରିଛନ୍ତି।

ସୁଭଦ୍ରା ଶକ୍ତି ମେଳାର ଉଦ୍‌ଯାପନୀ ସମାରୋହରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉଦ୍ୟୋଗୀ ପରାକାଷ୍ଠାର ଭୂୟସୀ ପ୍ରଶଂଶା କରିଥିଲେ । ଲୋକାଲରୁ ଗ୍ଲୋବାଲ ଅଭିମୁଖେ ଅଭିଯାନ ଆରମ୍ଭ କରିବାକୁ ଏହା ଏକ ଉତ୍କୃଷ୍ଟ ମଞ୍ଚ ବୋଲି ସେ କହିଥିଲେ । ଚଳିତ ବର୍ଷ ୧୨ କୋଟିରୁ ଉର୍ଦ୍ଧ୍ୱ ବେପାର ହୋଇଛି ଯାହା ଗତବର୍ଷ ତୁଳନାରେ ଦୁଇ ଗୁଣ ବୋଲି ସେ କହିଥିଲେ । ସେହିଭଳି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ସରକାର ପ୍ରୟାସ ଜାରି ରଖିଥିବା କହିଥିଲେ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ସନ୍ଧ୍ୟାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ବା ଉତ୍ପାଦକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧନା, ଯାହା ମହିଳା ଉଦ୍ୟୋଗିତାକୁ ପରିଚୟ ପ୍ରଦାନ କରିଥିଲା । ସୁଭଦ୍ରା ଶକ୍ତି ମେଳାରେ ୬୯ ଜଣ ପ୍ରଥମ ଥର ଅଂଶଗ୍ରହଣକାରୀ ଗୋଷ୍ଠୀଙ୍କୁ ମାନପତ୍ର ସହିତ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ମୋଟ ୧୦ଟି ବର୍ଗରେ ଯଥା ଶ୍ରେଷ୍ଠ ପ୍ରଥମ ଥର ଅଂଶଗ୍ରହଣକାରୀ ଷ୍ଟଲ , ଶ୍ରେଷ୍ଠ ଖାଦ୍ୟ ଦ୍ରବ୍ୟ ଷ୍ଟଲ, ଶ୍ରେଷ୍ଠ ହସ୍ତତନ୍ତ ଷ୍ଟଲ, ଶ୍ରେଷ୍ଠ ହସ୍ତଶିଳ୍ପ ଷ୍ଟଲ, ଶ୍ରେଷ୍ଠ ଲଘୁ ବନଜାତ ଦ୍ରବ୍ୟ ଷ୍ଟଲ, ଶ୍ରେଷ୍ଠ କୃଷିଜାତ ଦ୍ରବ୍ଯ ଷ୍ଟଲ, ଶ୍ରେଷ୍ଠ ପ୍ରଦର୍ଶନୀ ଷ୍ଟଲ, ଶ୍ରେଷ୍ଠ ପ୍ୟାକେଜିଂ ଷ୍ଟଲ, ଶ୍ରେଷ୍ଠ ଗ୍ରାହକ ପସନ୍ଦ ଷ୍ଟଲ, ଶ୍ରେଷ୍ଠ ଅଭିନବ ଦ୍ରବ୍ୟ ଷ୍ଟଲରେ 30ଟି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତାମାନଙ୍କୁ ପ୍ରଥମ ସ୍ଥାନ ପାଇଁ ୩୦,୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୨୫,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶେଷ ଭାବେ ମା ମଙ୍ଗଳା ଚିତ୍ରକର,ପୁରୀଙ୍କୁ ଶ୍ରେଷ୍ଠ ଷ୍ଟଲ ଭାବେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ୫୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ୧୨ ଦିନରେ ୫ ଲକ୍ଷରୁ ଉର୍ଦ୍ଧ ଦର୍ଶକ ବୁଲିବା ସହ ମା ମାନଙ୍କର ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ମୋଟ ବିକ୍ରି ରେକର୍ଡ କରାଯାଇଛି।
ସୁଭଦ୍ରା ଶକ୍ତି ମେଳା ମହିଳା ଉଦ୍ୟମୀମାନଙ୍କ ଦକ୍ଷତା, ସୃଜନଶୀଳତା ଓ ସଫଳତାର ଏକ ଅପୂର୍ବ ମଞ୍ଚ ହୋଇଥିଲା। ଏହି ମେଳା ମାଧ୍ୟମରେ ଓଡିଶା ମହିଳା ଶକ୍ତି ନୂଆ ପରିଚୟ ଗଢ଼ିଛି। ଓଡିଶା ସରକାର ଆଗାମୀ ଦିନରେ ଏହି ସଫଳତାକୁ ଆଧାର କରି ଆହୁରି ଅନେକ ମହିଳା ଉଦ୍ୟୋଗୀଙ୍କୁ ବଜାର ସଂଯୋଗ ଓ ନିଜସ୍ୱ ପରିଚୟ ଗଢ଼ିବାର ସୁଯୋଗ ଦେବାକୁ ପ୍ରତିବଦ୍ଧ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ