
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଶନିବାର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ ବିଜେଡି ପକ୍ଷରୁ ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଲେ ଡ. ସନ୍ତୃପ୍ତ ମିଶ୍ର ଓ ଡ, ଦତ୍ତେଶ୍ୱର ହୋତା ।
ନବୀନ ପଟ୍ଟନାୟକ କହିଛନ୍ତି ଯେ ଡ. ସନ୍ତୃପ୍ତ ମିଶ୍ର ହେଉଛନ୍ତି ଆମର ଦଳୀୟ ପ୍ରାର୍ଥୀ । ସେହିପରି ଡ ଦତ୍ତେଶ୍ୱର ହୋତା କମନ କ୍ୟାଣ୍ଡିଡେଟ ବୋଲି ନବୀନ କହିଛନ୍ତି । ଡ ସନ୍ତୃପ୍ତ ମିଶ୍ର ଚଳିତ ନିର୍ବାଚନରେ କଟକରୁ ସାଂସଦ ପ୍ରାର୍ଥୀଭାବେ ବିଜେଡି ଟିକେଟରେ ଲଢ଼ିଥିଲେ । ସେହିପରି ଦତ୍ତେଶ୍ୱର ହୋତା ହେଉଛନ୍ତି ଜଣେ ବିଶିଷ୍ଟ ୟୁରୋଲୋଜି ଡାକ୍ତର । ବିଜେଡି ଆଜି ତୃତୀୟ ପ୍ରାର୍ଥୀଭାବେ ଡ. ମିଶ୍ରଙ୍କୁ ଓ ଚତୁର୍ଥ କ୍ୟାଣ୍ଡିଡେଟଭାବେ ଡ. ହୋତାଙ୍କ ନାମ ଘୋଷଣା କରିଛି । ଦତ୍ତେଶ୍ଵରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ। ତେବେ ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ସେ ମୁଖ୍ୟ ଥିଲେ।
କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଥିଲା ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଥିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ଥିଲା ଅପେକ୍ଷା । ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ । ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।


