
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ କାଳୀମନ୍ଦିର ନିକଟସ୍ଥ ସଂଘତା ମୋଡ଼ଠାରୁ ଏସ୍ଡିଓ ଅଫିସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ କରିଥିବା ଚାରି ପ୍ରାର୍ଥୀ ହେଲେ ରାମପୁରହାଟ ବିଧାନସଭା ଆସନରୁ ଧ୍ରୁବ ଶାହା, ହଂସନ ଆସନରୁ ନିଖିଲ ବାନାର୍ଜୀ, ନଲହାଟୀ ଆସନରୁ ଅନିଲ ସିଂହ ଏବଂ ମୁରାରଇ ଆସନରୁ ରିଙ୍କି ଘୋଷ। ସୂଚନାଯୋଗ୍ୟ, ପୂର୍ବରୁ ଥରେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ଯାଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଓଡ଼ିଶାରୁ ବିଜେପିର ବହୁ ନେତା, ବିଧାୟକ ଓ ମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାନମଣ୍ଡଳୀରେ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି।




