ଆଜି ଆଶାତାଇଙ୍କ ଶେଷକୃତ୍ୟ

ମୁମ୍ବଇ: ବଲିଉଡ୍‌ର କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସ୍‌ଲେଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ହୃଦଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଶନିବାର ମୁମ୍ବଇସ୍ଥିତ ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଆଶା କୋଟି କୋଟି ସଙ୍ଗୀତପ୍ରେମୀଙ୍କୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି। ତାଙ୍କର ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ, ବଲିଉଡ୍‌ର ଏକାଧିକ ପ୍ରଯୋଜକ, ନିର୍ଦେଶକ, ସଙ୍ଗୀତ ନିର୍ଦେଶକ, ଅଭିନେତା, ଅଭିନେତ୍ରୀ, ପାର୍ଶ୍ବ ଗାୟକ ଓ ଗାୟିକା ଗଭୀର ଶୋକପ୍ରକାଶ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଆଶା ହେଉଛନ୍ତିି ମଙ୍ଗେଶକର ପରିବାରର ଚାରି ଭଉଣୀଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ତିନି ଭଉଣୀ ହେଲେ ଲତା, ଉଷା ଓ ମୀନା ମଙ୍ଗେଶକର। ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟହୋଇପଡିଥିଲେ। ତାଙ୍କୁ ମାତ୍ର ୯ ବର୍ଷ ହୋଇଥିବାବେଳେ ପିତା ପଣ୍ଡିତ ଦୀନନାଥ ମଙ୍ଗେଶକରଙ୍କ ବିୟୋଗ ଘଟିଥିଲା। ତେଣୁ ପରିବାରର ବୋଝ ବଡ ଭଉଣୀ ଲତା ଏବଂ ଆଶାଙ୍କ ଉପରେ ପଡିଥିଲା। ୧୯୪୮ରେ ‘ଚୁନରିଆଁ’ ଚଳଚ୍ଚିତ୍ରରୁ ଆଶା ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପଚାଶ ଦଶକରେ ଗୀତା ବାଲି, ସମ୍‌ସାଦ ବେଗମ, ଲତା ମଙ୍ଗେଶକରଙ୍କ ଆଧିପତ୍ୟ ଚାଲିଥିବାବେଳେ ଆଶା ନିଜକୁ ବଲିଉଡ୍‌ରେ ପ୍ରତିଷ୍ଠା କରିବା ପାଇଁ ଅନେକ କଷ୍ଟ ସ୍ବୀକାର କରିଥିଲେ। ବଡ ଭଉଣୀ ଲତାଙ୍କ ରାଜୁତି ଚାଲିଥିବାବେଳେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଆଶା ପାଶ୍ଚାତ୍ୟ ସଙ୍ଗୀତକୁ ଅନୁକରଣ କରିବା ଉପରେ ଗୁରୁତ୍ବ ଦେଇଥିଲେ। ନିଜର ଭିନ୍ନ କଣ୍ଠସ୍ବର ଆଶାଙ୍କୁ ଅନ୍ୟ ଗାୟିକାଙ୍କ ତୁଳନାରେ ସ୍ବତନ୍ତ୍ର ପରିିଚୟ ଦେଇଥିଲା। ଦୀର୍ଘ ଆଠ ଦଶନ୍ଧି ଧରି ଆଶା ବଲିଉଡ୍‌ରେ ସହସ୍ରାଧିକ ଗୀତ ଗାଇଥିବାବେଳେ ‘ଆଓ ହଜୁର ତୁମ୍‌କୋ’-କିସ୍ମତ୍‌, ‘ଓ ହସିନା ଜୁଲ୍‌ଫୋୱାଲି’-ତିସ୍‌ରି ମଞ୍ଜିଲ, ‘ପିୟା ତୁ ଅବ୍‌ ତୁ ଆଜା’-କାରୱାଁ, ‘ୟେ ମେରା ଦିଲ୍‌’-ଡନ୍‌, ‘ଦିଲ୍‌ ଚିଜ୍‌ କ୍ୟା ହୈ’-ଉମରାଓ ଜାନ୍‌, ‘ଦମ୍‌ ମାରୋ ଦମ୍‌’-ହରେ କୃଷ୍ଣ ହରେ ରାମ, ‘ଚୁରା ଲିୟା ହୈ ତୁମ୍‌ନେ ଜୋ ଦିଲ୍‌ କୋ’-ୟାଦୋଁ କି ବାରାତ୍‌, ‘ଇନ୍‌ ଆଖୋଁ କି ମସ୍ତି’-ଉମରାଓ ଜାନ୍‌, ‘ଜାନେ ଜାଁ ଧୁଣ୍ଡତା ଫିର୍‌ ରହା’-ଜୱାନି ଦିୱାନି, ‘ମେହବୁବା ମେହବୁବା’-ଶୋଲେ, ‘ରଙ୍ଗିଲା ରେ’-ରଙ୍ଗିଲା ଗୀତକୁ ଶ୍ରୋତା ଏବେ ବି ମନେ ରଖିଛନ୍ତି।

ଓ.ପି.ନାୟାରଙ୍କଠାରୁ ଆରମ୍ଭ କରି ଶଙ୍କର-ଜୟକିଶନ, ଜୟଦେବ, ଖୟାମ, ମଦନ ମୋହନ, ରବି, ଏସ.ଡି.ବର୍ମନ, ଆର.ଡି ବର୍ମନ, ସଲିଲ ଚୌଧୁରୀ, ବାପି ଲାହିରୀ, ଏ.ଆର.ରେହମାନ ଓ ଇଲାୟାରାଜାଙ୍କ ସଙ୍ଗୀତ ନିର୍ଦେଶନାରେ ଆଶା ଅନେକ ସୁମଧୁର ଗୀତ ଗାଇସାରିଛନ୍ତି। ହିନ୍ଦୀ ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଆଶା ଶତାଧିକ ଗୀତ ଗାଇଛନ୍ତି।
ପରିବାରର ପ୍ରତିବାଦ ସତ୍ତ୍ବେ ଆଶା ୧୬ ବର୍ଷ ବୟସରେ ଗଣପତ୍‌ରାଓ ଭୋସଲେଙ୍କୁ ବିବାହ କରିଥିଲେ। ତେବେ ପାରିବାରିକ ନିର୍ୟାତନା ଯୋଗୁଁ ୧୯୬୦ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା। ହେମନ୍ତ, ବର୍ଷା ଏବଂ ଆନନ୍ଦ ନାମରେ ସେମାନଙ୍କର ତିନି ସନ୍ତାନ ଜନ୍ମଗ୍ରହଣ କରିଥିଲେ। ପୁଅ ହେମନ୍ତ ଓ ଝିଅ ବର୍ଷାଙ୍କର ମୃତ୍ୟୁ ଘଟିସାରିଥିବାବେଳେ କେବଳ ସାନ ପୁଅ ଆନନ୍ଦ ଜୀବିତ ଅଛନ୍ତି। ୧୯୮୦ରେ ଆଶା ଆର.ଡି.ବର୍ମନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଆଶା ତାଙ୍କ କ୍ୟାରିୟରରେ ସାତଥର ଫିଲ୍ମଫେୟାର ପୁରସ୍କାର, ୨୦୦୧ରେ ଫିଲ୍ମଫେୟାର ଜୀବନବ୍ୟାପୀ ସାଧନା ପୁରସ୍କାର, ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୦ ମସିହାରେ ଦାଦା ସାହେବ ଫାଲ୍‌କେ ପୁରସ୍କାର, ୨୦୦୮ରେ ପଦ୍ମ ବିଭୂଷଣ ପୁରସ୍କାର ହାସଲ କରିଥିଲେ। ଏହା ବ୍ୟତୀତ ସେ ଏକାଧିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପୁରସ୍କାର ମଧ୍ୟ ହାସଲ କରିଥିଲେ।

  • Related Posts

    ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ ନିଷ୍ପତ୍ତି ନେଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ (ପିପିବିଏଲ)ର ବ୍ୟାଙ୍କିଙ୍ଗ ଲାଇସେନ୍ସକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଛି। ଏହି ପଦକ୍ଷେପ ଦୀର୍ଘ ଦିନରୁ ହେଉଥିବା ନିୟମକୁ ଅଣଦେଖା ଓ ଅଭିଯୋଗ ସମ୍ବନ୍ଧୀୟ…

    Continue reading
    ଅଶୋକ ଲାହିରୀ ହେଲେ ନୀତି ଆୟୋଗର ଉପାଧ୍ୟକ୍ଷ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ଥିବା ବେଳେ ନରେନ୍ଦ୍ର ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଜେପି ବିଧାୟକ ଏବଂ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଲାହିରୀ ସୁମନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର