
ଭୁବନେଶ୍ୱର: ୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। କାରଣ ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ସୁଭଦ୍ରା ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୫ ଲକ୍ଷ ୧୧ ହଜାର ମହିଳାଙ୍କ କେୱାଇସିରେ ତ୍ରୁଟି ଥିବାରୁ ତାହାକୁ ସୁଧାରିବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସୁଯୋଗ ଦେଖାଦେଇଥିଲା। ଫିଲ୍ଡ ରିପୋର୍ଟ ଆସିବା ପରେ ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏଥିସହ ଆସନ୍ତା ବର୍ଷ ପାଇଁ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ଦୁଇ ଥର ମିଳିବ ସୁଭଦ୍ରା ଟଙ୍କା । ତେଣୁ ଆସନ୍ତା ବର୍ଷ ମହିଳାମାନେ ସମୁଦାୟ ୩ ଥର ସୁଭଦ୍ରା ଟଙ୍କା ପାଇବେ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ କିସ୍ତିର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିସାରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏହା ୨୦୨୫ ମସିହାରେ ମିଳିବ ବୋଲି ଜଣାଯାଇଛି।








