
ଭୁବନେଶ୍ୱର: ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରିଆସିଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି। ମହିଳାଙ୍କ ସଶକ୍ତୀକରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ ବୋଲି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଯଦି ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ନ କରେ ତେବେ ଏହି ବିଲ୍କୁ ସ୍ବାଗତ କରାଯିବ ବୋଲି ମଧ୍ୟ ନବୀନ କହିଛନ୍ତି।
ସୀମା ପୁନଃ ନିର୍ଦ୍ଧାରଣ ବିଷୟକୁ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ବୁଧବାର ଲେଖିଥିବା ଚିଠିରେ ନବୀନ କହିଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ବର୍ତ୍ତମାନ ଓଡ଼ିଶାର ଲୋକ ସଭା ଆସନ ସଂଖ୍ୟା ୨୧ ରହିଛି, ଯାହା ମୋଟ୍ ଆସନ ସଂଖ୍ୟାର ୩.୯%। ମାତ୍ର ଉପରୋକ୍ତ ସଂଶୋଧନ ବିଲ୍ ଯଦି ପାରିତ ହୁଏ, ତେବେ ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୯କୁ ବୃଦ୍ଧି ପାଇବ। ଏହାଦ୍ୱାରା ଆନୁପାତିକ ହାରରେ ମୋଟ୍ ଆସନ ସଂଖ୍ୟାର ୩.୯% ହାର ୩.୪%କୁ ହ୍ରାସ ଘଟିବ। ନୂତନ ସଂଶୋଧନ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟସ୍ତରରେ ୧୫% ହ୍ରାସ ହେବା ସମ୍ଭାବନା ରହିଛି, ଯାହାକି ଚିନ୍ତାଜନକ ବିଷୟ। ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ମାନବ ସମ୍ବଳର ବିକାଶରେ ମଧ୍ୟ ଓଡ଼ିଶା ପ୍ରଶଂସନୀୟ କାର୍ୟ୍ୟ କରିଛି। ନୂତନ ସଂଶୋଧନ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବେ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।




