
ବ୍ରହ୍ମପୁର: ଅପହରଣ ପରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର(୪୭) ହତ୍ୟା ଘଟଣା ବଡ଼ ଖୁଲାସା। ଦାଦାର ସୁପାରୀ ଦେଇଥିଲେ ପୁତୁରା ଓ ଝିଆରୀ । ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଅପହରଣ ପରେ ହତ୍ୟା ସନ୍ଦେହ। ପୁତୁରା ଓ ଝିଆରୀ ମିଶି ସହ ସୁପାରୀ କିଲରଙ୍କ ଜରିଆରେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣା ଗୋପାଳପୁର ପୁଲିସ ପୁତୁରା ଓ ଝିଆରୀଙ୍କ ସମେତ ୮ ଅଭିଯୁକ୍ତ ଅଟକ ଜେରା କରୁଛି। ପ୍ରକୃତ ଘଟଣା ଉପରେ ପରଦା ହଟାଇବାକୁ ତଦନ୍ତ ଚଲାଇଛି ପୁଲିସ।
ଗୋପାଳପୁର ଥାନା ବଣଗାଁ ନିକଟରୁ ଗତ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ପାତ୍ରଙ୍କୁ ଅପହରଣ କରି ନେଇଥିଲେ ଅପରାଧୀ । ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ର ଏ ନେଇ ଗୋପାଳପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା । ବଣଗାଁ ରାସ୍ତାରୁ ସୁଧୀରଙ୍କ ବାଇକ୍ ଜବତ କରିଥିଲା ପୁଲିସ। ସୁଧୀରଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ହ୍ୱାଟସ୍ଆପ୍ରେ ଏକ ଭିଡିଓ ପଠାଇଥିଲେ । ସୁଧୀରଙ୍କୁ ଅକଥନୀୟ ନିର୍ୟାତନା ଦେବା ସହ ବ୍ଲାଙ୍କ୍ ଫାୟାରିଂ କରି ୨କୋଟି ଟଙ୍କା ମାଗିଥିଲେ । ରଶ୍ମିତା ଘରେ ଥିବା ଟଙ୍କା ଓ ସୁନା ନେଇ ଅପହରଣକାରୀଙ୍କୁ ଦେବାକୁ ଯିବା ସମୟରେ ତାଙ୍କ ପଛରେ ପୁଲିସ ମଧ୍ୟ ଯାଇଥିଲା । ଆସିକା ନିକଟରେ ରଶ୍ମିତାଙ୍କୁ ଭିଡିଓ କଲ୍ କରି ସେ ଧରିଥିବା ବ୍ୟାଗ୍ ଦେଖାଇବାକୁ କହିଥିଲେ ଅପରାଧୀ। କିଛି ସମୟ ପରେ ଫୋନ୍ କଲ୍ ଆସିଥିଲା ଯେ, ପୁଲିସ ତୁମ ସାଙ୍ଗରେ ଅଛନ୍ତି । ସୁଧୀରକୁ ଆଉ ଫେରି ପାଇବ ନାହିଁ । ସେବେଠାରୁ ଅପରାଧୀ ସୁଧୀରଙ୍କ ପରିବାରକୁ ଯୋଗାଯୋଗ କରିନଥିଲେ। ବୁଧବାର ସକାଳୁ ସୋରଡ଼ା ଥାନା ବାଲପଙ୍କା ଗାଁ ରାଶିପଙ୍କାଳ ବ୍ରିଜ୍ ନିକଟ ଜଙ୍ଗଲ ରାସ୍ତା ସୁଧୀରଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା।
ସମ୍ପତ୍ତି ବିବାଦରୁ ଏହି ସୁଧୀରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ତାଙ୍କର ଦୁଇଜଣ ରକ୍ତ ସଂପର୍କୀୟ ପୁତୁରା ଓ ଝିଆରୀଙ୍କଙ୍କୁ ଥାନାରେ ଅଟକ ରଖିଥିବାବେଳେ ସୁରଟ, ଦିଲ୍ଲୀ ଓ ମୁମ୍ବାଇରୁ କିଛି ଅପରାଧୀଙ୍କୁ ଉଠାଇ ଆଣିଥିବା ଜଣାପଡିଛି । ତଦନ୍ତ ପରେ ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ର ହତ୍ୟା ଘଟଣା ଉପରୁ ପରଦା ହଟିବ।


