ଚେନ୍ନାଇ/କୋଲକାତା: ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ରେକର୍ଡ ପ୍ରତିଶତ ଭୋଟିଂ । ବେଙ୍ଗଲର ୨୯୪ ଆସନରୁ ପ୍ରଥମ ପର୍ଯ୍ୟାୟରେ ୧୫୨ଟିରେ ମତଦାନ ଶେଷ ହୋଇଛି । ରାଜ୍ୟରେ ମତଦାନ ହାର ୯୨.୧୦ ପ୍ରତିଶତ ରହିଛି । ସେହିଭଳି ତାମିଲନାଡୁର ସମସ୍ତ ୨୩୪ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ରାଜ୍ୟରେ ମତଦାନ ହାର ୮୫ ପ୍ରତିଶତରୁ ଅଧିକ ରହିଛି । ଉଭୟ ରାଜ୍ୟରେ ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟିଂ ହୋଇଛି । ଏହା ପୂର୍ବରୁ ତାମିଲନାଡୁରେ ୨୦୧୧ରେ ସର୍ବାଧିକ ୭୮.୨୯ ପ୍ରତିଶତ ଭୋଟିଂ ହୋଇଥିଲା । ବେଙ୍ଗଲରେ ମଧ୍ୟ ୨୦୧୧ରେ ୮୪.୭୨ ପ୍ରତିଶତ ମତଦାନ ହୋଇଥିଲା । ପଶ୍ଚିମବଙ୍ଗରେ ବମ୍ପର ଭୋଟିଂକୁ ନେଇ ଶାସକ ଟିଏମ୍ସି ଓ ବିରୋଧୀ ବିଜେପି ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତ ।
ଟିଏମ୍ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟବାସୀ ଏସ୍ଆଇଆରକୁ କଡ଼ା ବିରୋଧ କରି ବମ୍ପର ଭୋଟିଂ କରିଛନ୍ତି । ବିଜେପିର ବେଙ୍ଗଲ ବିରୋଧୀ ନୀତି ବିରୋଧରେ ଲୋକମାନେ ବହୁସଂଖ୍ୟାରେ ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ରାଜ୍ୟରେ ଟିଏମ୍ସିର ଭ୍ରଷ୍ଟାଚାର ଓ ଗୁଣ୍ଡାରାଜର ସୂର୍ଯ୍ୟ ଅସ୍ତ ହୋଇଥିବା ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଗତ ଏପ୍ରିଲ ୯ ରେ ଆସାମ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପଡୁଚେରୀରେ ମଧ୍ୟ ବମ୍ପର ଭୋଟିଂ ହୋଇଥିଲା । ଆସାମ ଇତିହାସରେ ସର୍ବାଧିକ ୮୫.୯୧ ପ୍ରତିଶତ ମତଦାନ ହୋଇଥିଲା ବେଳେ ପୁଡୁଚେରୀରେ ୯୦ ଏବଂ କେରଳରେ ୧୯୮୭ ମସିହା ପରେ ସବୁଠାରୁ ଅଧିକ ୭୮.୨୭ ପ୍ରତିଶତ ଭୋଟିଂ ହୋଇଥିଲା । ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମେ’ ୪ ତାରିଖରେ ସମସ୍ତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟ୍ ଗଣତି ହେବ । ପଶ୍ଚିମବଙ୍ଗରେ ୨୦୧୧ରେ ବାମଦଳକୁ ହରାଇ ମମତାଙ୍କ ଟିଏମ୍ସି କ୍ଷମତା ଦଖଲ କରିଥିଲା । ଫଳରେ ରାଜ୍ୟରେ ୩୪ ବର୍ଷ ବାମଦଳ ଶାସନର ଅନ୍ତ ଘଟିଥିଲା । ମମତା ଲଗାତାର ଭାବେ ୩ ଥର ମୁଖ୍ୟମନ୍ତ୍ରୀ ରହିଥିଲା ବେଳେ ଚତୁର୍ଥଥର ପୁଣି ବାଜିମାରିବେ ବୋଲି ଆଶା ରଖିଛନ୍ତି । ଅନ୍ୟପକ୍ଷରେ ଟିଏମ୍ସିକୁ ହରାଇ ବିଜେପି ଏଥର ରାଜ୍ୟରେ କ୍ଷମତାସୀନ ହେବ ବୋଲି ଦୃଢ଼ ଆଶାବାଦୀ ରହିଛି ।
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୧୫୨ ଆସନ ପାଇଁ ମତଦାନ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ସମୟ ସୀମା ଶେଷ ହେବା ପରେ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଏହି ପର୍ଯ୍ୟାୟରେ ଆଜି ୧,୪୭୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଆସନ୍ତା ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଜିଲ୍ଲାର ୧୪୨ ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୩.୨ କୋଟିରୁ ଅଧିକ ଭୋଟର ୧,୪୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ତାମିଲନାଡୁର ୩୮ ଜିଲ୍ଲାର ସମସ୍ତ ୨୩୪ଟି ଆସନରେ କାଁ ଭାଁ ହିଂସାକୁ ଛାଡ଼ିଦେଲେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମତଦାନ ହାର ୮୫.୦୫ ପ୍ରତିଶତ ରହିଛି । ମୋଟ ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ରାଜ୍ୟରେ ଡିଏମ୍କେ ଓ ଏଆଇଏଡିଏମ୍କେ ମେଣ୍ଟ ସମେତ ନୂଆକରି ରାଜନୈତିକ ମଇଦାନରେ ପାଦ ଦେଇଥିବା ଅଭିନେତା ଜୋଶେଫ ସି. ବିଜୟଙ୍କ ଟିଭିକେ ମଧ୍ୟରେ କଡା ଟକ୍ଟର ହୋଇଛି । ଗତ ୨୦୨୧ ନିର୍ବାଚନରେ ରାଜ୍ୟରେ ୭୨.୭୩ ପ୍ରତିଶତ ଭୋଟିଂ ହୋଇଥିଲା ।



