
ନୂଆଦିଲ୍ଲୀ: ଚନ୍ଦ୍ରରୁ ଏକ ନୂଆ ଖଣିଜ ଆବିଷ୍କାର ବିଷୟରେ ଘୋଷଣା କରିଛି ଚୀନ୍ । ଏହି ଆବିଷ୍କାର ବାହ୍ୟଗ୍ରହ ଉପାଦାନ ତାଲିକାରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହୋଇଛି ଏବଂ ଚନ୍ଦ୍ର ଭୂବିଜ୍ଞାନ ବିଷୟରେ ନୂଆ ତଥ୍ୟ ପ୍ରଦାନ କରିଛି । ଚାଇନା ଜିଓଲଜିକାଲ ସର୍ଭେ ଅନୁସାରେ, ବୈଜ୍ଞାନିକମାନେ ୧୧ତମ ଚନ୍ଦ୍ର ଖଣିଜ ଚିହ୍ନଟ କରିଛନ୍ତି, ଯାହାର ନାଁ ‘ସେରିୟମ୍ମ୍ୟାଗ୍ନେସିୟମ୍ ଚେଞ୍ଜସାଇଟ୍ । ଚନ୍ଦ୍ର ଉଲ୍କାପିଣ୍ଡରେ ଏହି ଖଣିଜ ଆବିଷ୍କୃତ ହୋଇଥିଲା । ଏହା ଚୀନ୍ରେ ପଡ଼ିଥିବା ଏ ପ୍ରକାର ପ୍ରଥମ ଉଲ୍କାପିଣ୍ଡ, ଯାହା ପୃଥିବୀକୁ ପ୍ରାକୃତିକ ରୂପେ ପହଞ୍ଚିଥିବା ଚନ୍ଦ୍ର ଉପାଦାନର ଅଧ୍ୟୟନ ଲାଗି ଗବେଷକମାନଙ୍କୁ ବିରଳ ସୁଯୋଗ ପ୍ରଦାନ କରିଛି ।ଏହି ଖଣିଜ ଅତ୍ୟନ୍ତ ଛୋଟ, ୩ରୁ ୨୫ ମାଇକ୍ରୋମିଟରଯୁକ୍ତ ଶସ୍ୟ ଆକାର ଭଳି । ଏହାର ଅଧିକାଂଶ କଣିକା ୧୦ ମାଇକ୍ରୋମିଟରଠୁ ଛୋଟ । ଅତି କ୍ଷୁଦ୍ର ଆକାର ସତ୍ତେ୍ୱ, ଅନନ୍ୟ ରାସାୟନିକ ଓ ଢାଞ୍ଚାଗତ ଗୁଣ ଯୋଗୁ ଏହାର ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମୂଲ୍ୟ ରହିଥିବା ଗବେଷକମାନେ କହନ୍ତି । ସେରିୟମ୍-ମ୍ୟାଗ୍ନେସିୟମ୍ ଚେଞ୍ଜସାଇଟ୍ର ସବୁଠୁ ଆଶ୍ଚର୍ଯ୍ୟଜନକ ବୈଶିଷ୍ଟ୍ୟ ତା’ର ଫ୍ଲୁରୋସେଣ୍ଟ ବ୍ୟବହାର, ଅର୍ଥାତ୍ ନିର୍ଦ୍ଦିଷ୍ଟ ସ୍ଥିତିରେ ଏହା ଆଲୋକ ନିର୍ଗତ କରେ । ଉନ୍ନତ ଟେକ୍ନୋଲୋଜିରେ ଏହି ଗୁଣର ବ୍ୟବହାରିକ ପ୍ରୟୋଗ ଥାଇପାରେ, ଖାସ୍କରି ଆଗାମୀ ପିଢ଼ିର ଏଲ୍ଇଡି ଉପକରଣ ବିକାଶରେ । ବୈଜ୍ଞାନିକମାନେ ଆହୁରି କହିଛନ୍ତି, ଏହି ଖଣିଜର ଗଠନ, ଖାସ୍କରି ଏହାର ରେୟାର ଆର୍ଥ ତତ୍ତ୍ୱ ଅନୁପାତ ସମେତ ମ୍ୟାଗ୍ନେସିୟମ୍ ଓ ଲୌହର ମିଶ୍ରଣ ଚନ୍ଦ୍ରର ପୃଷ୍ଠ ଓ ଆଭ୍ୟନ୍ତରକୁ ଆକାର ଦେଇଥିବା ପ୍ରକ୍ରିୟା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ପ୍ରଦାନ କରିବ । ଏହାର ସ୍ଫଟିକ ଢାଞ୍ଚାରେ ଭିନ୍ନତା ଚନ୍ଦ୍ର ଖଣିଜର ଉତ୍ପତ୍ତି ପ୍ରକ୍ରିୟା ଓ ଚରମ ସ୍ଥିତିରେ ତା’ର ବିକାଶ ବିଷୟରେ ଅଧିକ ଭଲଭାବେ ବୁଝିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ ।
ଗ୍ରହ ବିଜ୍ଞାନକୁ ବାଦ୍ ଦେଲେ, ଏହି ଆବିଷ୍କାର ପୃଥିବୀରେ ଉପାଦାନଗୁଡ଼ିକର ଅଧ୍ୟୟନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ । ଏହି ଖଣିଜର ଅନନ୍ୟ ଢାଞ୍ଚା ଓ ଗଠନ ଖାସ୍ ଗୁଣଯୁକ୍ତ ନୂଆ ଉପାଦାନ ପ୍ରସ୍ତୁତି ନିମନ୍ତେ ସହାୟକ ହୋଇପାରିବ । ଇଲେକ୍ଟ୍ରୋନିକ୍ସ ଓ ଶକ୍ତି ଭଳି ଉଦ୍ୟୋଗ ପାଇଁ ଏହା ଲାଭପ୍ରଦ ହୋଇପାରିବ । ଚୀନ୍ ନିଜର ଚନ୍ଦ୍ର ଅନ୍ୱେଷଣ କାର୍ଯ୍ୟକ୍ରମକୁ ଧୀରେ ଧୀରେ ବିସ୍ତାର କରୁଛି । ଚାଙ୍ଗ’ଇ ମିଶନ ଚନ୍ଦ୍ରରୁ ନମୁନା ଆଣି ପୃଥିବୀକୁ ଫେରିଛି । ଚନ୍ଦ୍ର ସମ୍ପର୍କରେ ବୈଜ୍ଞାନିକ ଜ୍ଞାନ ମଧ୍ୟ ଏହା ବଢ଼ାଉଛି । ସଦ୍ୟତମ ଆବିଷ୍କାର ଚନ୍ଦ୍ରର ଭୂବୈଜ୍ଞାନିକ ଇତିହାସକୁ ଅନାବୃତ୍ତ କରିବାରେ ଅନ୍ତର୍ଜାତୀୟ ସ୍ତରର ଅଧ୍ୟୟନକର୍ତ୍ତାଙ୍କ ବର୍ଦ୍ଧିତ ଭୂମିକା ଉପରେ ଆଲୋକପାତ କରିଛି । ବର୍ତ୍ତମାନ ଏ ନେଇ ବିଶ୍ଳେଷଣ ଚାଲିଥିବା ବେଳେ ନୂଆ ଖଣିଜ କେବଳ ଚନ୍ଦ୍ର ସମ୍ପର୍କରେ ଜ୍ଞାନକୁ ଗଭୀର କରିବ ନାହିଁ, ବରଂ ପୃଥିବୀରେ ଅଭିନବ ପ୍ରୟୋଗର ଦ୍ୱାର ମଧ୍ୟ ଖୋଲିବ । ମହାକାଶ ଆବିଷ୍କାରର ପ୍ରଭାବ କେତେ ଗୁରୁତ୍ୱପୂର୍ଣ୍ଣ ଏହି ଆବିଷ୍କାର ତାହା ଦର୍ଶାଇଛି ।



