
ନୂଆଦିଲ୍ଲୀ : ଚୀନ ଗସ୍ତରେ ଆମେରିକା ରାଷ୍ଟ୍ରପତି। ବେଜିଂର ଟ୍ରେଗ୍ ହଲ୍ ଅଫ ଦ ପିପୁଲରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଖୁସିରେ ଗଦ ଗଦ ହୋଇଗଲେ ଡୋନାଲ୍ଡ ଟ୍ରମ୍ପ। ଭୁରି ଭୁରି ପ୍ରଶଂସାରେ ପୋତି ପକାଇଲେ ଆମେରିକା ରାଷ୍ଟ୍ରପତି। କହିଲେ ସି ଜିନପିଙ୍ଗ ଜଣେ ମହାନ ନେତା। ତାଙ୍କର ବନ୍ଧୁ ହେବା ଗର୍ବର ବିଷୟ। ଖାଲି ସେତିକି ଏହି ବୈଠକରେ ନୁହେଁ ଚୀନ ସେନାକୁ ମଧ୍ୟ ପ୍ରଶଂସା କରିଛନ୍ତି ଟ୍ରମ୍ପ।
ସ୍ଵାଗତ ସମାରୋହରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆପଣଙ୍କ ସହ ଠିଆ ହେବା ସମ୍ମାନର ବିଷୟ। ଆପଣଙ୍କ ବନ୍ଧୁ ହେବା ମଧ୍ୟ ମୋ ପାଇଁ ଗର୍ବର ବିଷୟ। ଚୀନ ଏବଂ ଆମେରିକାର ସମ୍ପର୍କ ପୂର୍ବ ଅପେକ୍ଷା ସୁଧୁରିବାକୁ ଯାଉଛି। ଏଠାରେ ଉପସ୍ଥିତ ଥିବା ସବୁ ଶିଶୁ ମୋତେ ପ୍ରଭାବିତ କରିଛନ୍ତି। ଏହି କୋମଳମତି ପିଲାମାନେ ଖୁବ୍ ସୁନ୍ଦର। ଏମାନେ ଚୀନର ଚିନ୍ତାଧାରା ଏବଂ ଭବିଷ୍ୟତର ପ୍ରତିନିଧିତ୍ଵ କରିବେ। ଚୀନ ସେନାର ମଧ୍ୟ ତୁଳନା ନାହିଁ। ହେଲେ ଚୀନର ପିଲାମାନେ ମୋତେ ଖୁବ୍ ପ୍ରଭାବିତ କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ, ଜିନପିଙ୍ଗଙ୍କ ସହ ତାଙ୍କର ବନ୍ଧୁତା ବହୁ ପୁରୁଣା। ଦୁଇ ନେତା ପ୍ରତିକୂଳ ସମୟରେ ସିଧାସଳଖ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିଛନ୍ତି। ଯେତେବେଳେ ବି କୌଣସି ସମସ୍ୟା ଆାସେ, ମୁଁ ଜିନପିଙ୍ଗଙ୍କୁ କଲ୍ କରେ, ସେ ମଧ୍ୟ ମୋତେ କଲ୍ କରନ୍ତି। ଆମେ ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିଦେଉ। ଜିନପିଙ୍ଗ ଜଣେ ମହାନ ନେତା। ବହୁ ଲୋକଙ୍କୁ ବୋଧହୁଏ ଏହା ପସନ୍ଦ ଆସିନପାରେ। ହେଲେ ମୁଁ ସବୁବେଳେ ସତ କୁହେ। ମୋ ସହ ଆମେରିକାର ବଡ଼ ବଡ଼ ବ୍ୟବସାୟୀ ଏବଂ ଉଦ୍ୟୋଗପତି ଚୀନ ଆସିଛନ୍ତି। ଦୁନିଆର ବଡ଼ ବଡ଼ କମ୍ପାନୀର ଶୀର୍ଷ ଅଧିକାରୀଙ୍କୁ ଏହି ବୈଠକରେ ସାମିଲ କରାଯାଇଛି। ଆମେରିକା ଚୀନ ସହ ବ୍ୟାପାର ବଢାଇବାକୁ ଉତ୍ସାହିତ ଅଛି। ଆଗକୁ ଏହି ସମ୍ପର୍କ ଆହୁରି ସୁଦୃଢ ହେବ।


