
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଦ୍ବିତୀୟ ଲାଇନରେ ଘରେ ଚୋରି କରିବା ପରେ ଦୁର୍ବୃତ୍ତ ଘରେ ଲଗାଇଦେଲେ ନିଆଁ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ପଶିଥିଲେ । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ । ଦେବୀ ପ୍ରସାଦଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସେଠାକୁ ଯାଇଥିଲେ । ଆଜି ଭୋରରୁ ଦେବୀଙ୍କ ପୁତୁରା କୌଣସି କାମରେ ତାଙ୍କ ଘରକୁ ଆସିଥିବା ବେଳେ ଘର ଝରକାର ଲୁହା ଗ୍ରୀଲ କଟିବା ସହ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବା ପରେ ଘରେ ପଶି ଦେଖିଲା ବେଳକୁ ବହୁ ସାମଗ୍ରୀ ସହ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଏହାସହ କିଛି ଚୋରି ହୋଇଥିବା ନେଇ ମଧ୍ୟ ଅନୁମାନ କରାଯାଉଛି ।