ଏକ ନିରବ ସଂଘର୍ଷ : ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ର ଅଦୃଶ୍ୟ ଅଧ୍ୟାପକ ବୃନ୍ଦ

ଲେଖକ : ସଂକର ପାଢ଼ୀ
ଅର୍ଥନୀତି ଅଧ୍ୟାପକ
ଏ.ଏମ୍‌.ସି.ଏସ୍‌. କଲେଜ, ଟିକାବାଲି
(ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସଂଲଗ୍ନ)

ଏକ ରାଷ୍ଟ୍ରର ଭବିଷ୍ୟତ ତାହାର ଶ୍ରେଣୀକକ୍ଷରେ ଗଢ଼ାଯାଏ। ସେଠାରେ ଯେଉଁମାନେ ଜ୍ଞାନର ଦୀପ ଜଳାନ୍ତି, ସେମାନେ କେବଳ ଶିକ୍ଷକ ନୁହନ୍ତି —ସେମାନେ ସମାଜର ଚିନ୍ତନଶୀଳ ଶିଳ୍ପୀ, ମୂଲ୍ୟବୋଧର ସ୍ରଷ୍ଟା ଓ ରାଷ୍ଟ୍ର ଗଢ଼ାର ନିରବ ସୈନିକ। କିନ୍ତୁ ଦୁଃଖର ବିଷୟ, ଆଜି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏମିତି ହଜାର ହଜାର ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି, ଯେଉଁ ମାନେ ବର୍ଷ ବର୍ଷ ଧରି ନିଷ୍ଠାର ସହ ଶିକ୍ଷାଦାନ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ମାନଜନକ ବେତନ, ସ୍ଥାୟୀ ନିଯୁକ୍ତି ଓ ସାମାଜିକ ସୁରକ୍ଷାରୁ ବଞ୍ଚିତ।ବିଶେଷକରି 2008 ପରେ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନେ ପରିଚାଳନା କମିଟି ମାଧ୍ୟମରେ ନିଯୁକ୍ତ ହୋଇଥିବା ଅନେକ ଅଧ୍ୟାପକ ଆଜି ଅସ୍ଥିରତା, ଅବହେଳା ଓ ଅନିଶ୍ଚିତତାର ଜୀବନ ବ୍ୟତୀତ କରୁଛନ୍ତି। ସେମାନଙ୍କ ଯୋଗ୍ୟତା UGC ମାନଙ୍କ ସହ ସମାନ, କାମ ସମାନ, ଦାୟିତ୍ୱ ସମାନ—କିନ୍ତୁ ବେତନ ଓ ସୁବିଧାରେ ଆକାଶ-ପାତାଳ ତଫାତ। ଏହା କେବଳ ଏକ ପ୍ରଶାସନିକ ଅବହେଳା ନୁହେଁ; ଏହା ଏକ ଗଭୀର ସାମାଜିକ ଅନ୍ୟାୟ।
ଉଚ୍ଚଶିକ୍ଷାର ଭିତ୍ତିରେ ଦଣ୍ଡାୟମାନ ନିରବ ଶ୍ରମିକ
ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ କଲେଜ—ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ—ଆଜି ଯେପର୍ଯ୍ୟନ୍ତ ଚାଲୁ ଅଛି, ତାହାର ପଛରେ ଏହି ଅସ୍ଥାୟୀ, ଅନୁଦାନବିହୀନ ଓ ପରିଚାଳନା ନିଯୁକ୍ତ ଅଧ୍ୟାପକମାନଙ୍କ ଅସାଧାରଣ ତ୍ୟାଗ ଓ ଅବଦାନ ରହିଛି। ସେମାନେ କମ୍‌ ବେତନରେ କିମ୍ବା କେତେକ ସ୍ଥାନରେ ମାସ ମାସ ଧରି ବେତନ ବିନା କାମ କରି ମଧ୍ୟ ଶିକ୍ଷାର ପରିବେଶକୁ ଜୀବନ୍ତ ରଖିଛନ୍ତି।
ଅନେକ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକଙ୍କ ଅଭାବ ଥିବାବେଳେ ଏହି ଶିକ୍ଷକମାନେ ସମଗ୍ର ବିଭାଗକୁ ଚାଲାଇଛନ୍ତି। ସେମାନେ ପାଠପଢ଼ା ସହିତ ପରୀକ୍ଷା କାର୍ଯ୍ୟ, ମୂଲ୍ୟାୟନ, ଛାତ୍ରଛାତ୍ରୀଙ୍କ ପରାମର୍ଶ, ସାଂସ୍କୃତିକ କାର୍ଯ୍ୟକ୍ରମ, NSS, ନିର୍ବାଚନ ଡ୍ୟୁଟି, NAAC ପ୍ରସ୍ତୁତି, ଏବଂ ପ୍ରଶାସନିକ ଦାୟିତ୍ୱ ମଧ୍ୟ ସମାନ ଭାବେ ତୁଲାଉଛନ୍ତି । ତଥାପି ସେମାନଙ୍କ ଅବଦାନକୁ ଅନେକ ସମୟରେ କେବଳ “ଅସ୍ଥାୟୀ ବ୍ୟବସ୍ଥା” ବୋଲି ଅବହେଳା କରାଯାଉଛି।
ଯୋଗ୍ୟତା ଅଛି, ସମ୍ମାନ ନାହିଁ
ଏହି ଅଧ୍ୟାପକମାନଙ୍କ ମଧ୍ୟରୁ ଅନେକେ NET, SLET, M.Phil., Ph.D. ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ରଖନ୍ତି। କେହି କେହି ଗବେଷଣା ପତ୍ର ପ୍ରକାଶ କରିଛନ୍ତି, ସେମିନାରରେ ଅଂଶଗ୍ରହଣ କରିଛନ୍ତି, ଏବଂ ରାଜ୍ୟର ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଅବଦାନ ରଖିଛନ୍ତି। ତଥାପି ସେମାନେ ନିଜ ପରିବାରର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ।
ଏକ ପଟେ ସମାନ ଯୋଗ୍ୟତା ଥିବା ସ୍ଥାୟୀ ଅଧ୍ୟାପକମାନେ ସମ୍ମାନଜନକ ବେତନ, ପେନସନ, ଚିକିତ୍ସା ସୁବିଧା ଓ ସାମାଜିକ ସୁରକ୍ଷା ପାଉଥିବା ବେଳେ, ଅନ୍ୟ ପଟେ ଏହି ଅଧ୍ୟାପକମାନେ ଦଶକ ଧରି ଅନିଶ୍ଚିତ ଭବିଷ୍ୟତ ସହ ଜୀବନ କାଟୁଛନ୍ତି। ଏହା ଶିକ୍ଷାକ୍ଷେତ୍ରରେ ଏକ ଅଦୃଶ୍ୟ ଶ୍ରେଣୀବିଭାଜନ ସୃଷ୍ଟି କରିଛି। ଶିକ୍ଷକଙ୍କ ଅଦୃଶ୍ୟ ବେଦନା
ଆଜିର ସମୟରେ ଯେତେବେଳେ ମହଙ୍ଗାଇ ଦିନକୁ ଦିନ ବଢ଼ୁଛି, ସେତେବେଳେ ଅନେକ ଅଧ୍ୟାପକ 5 ହଜାର, 10 ହଜାର କିମ୍ବା 15 ହଜାର ଟଙ୍କାରେ ପରିବାର ଚାଲାଇବାକୁ ବାଧ୍ୟ ହେଉଛନ୍ତି। କେତେକ ମହାବିଦ୍ୟାଳୟରେ ତ ମାସ ମାସ ଧରି ବେତନ ମିଳୁନାହିଁ। ଫଳରେ ସେମାନଙ୍କ ଜୀବନ ଦୈନନ୍ଦିନ ଋଣ, ଚିନ୍ତା ଓ ଅନିଶ୍ଚିତତାରେ ଭରିଯାଇଛି।
ଅନେକ ଅଧ୍ୟାପକ ନିଜ ସନ୍ତାନଙ୍କୁ ଭଲ ଶିକ୍ଷା ଦେଇପାରୁନାହାନ୍ତି। କେହି ବୃଦ୍ଧ ପିତାମାତାଙ୍କ ଚିକିତ୍ସା କରାଇପାରୁନାହାନ୍ତି। ଅନେକଙ୍କ ବିବାହ ହୋଇପାରିନାହିଁ କାରଣ ସମାଜ ଆର୍ଥିକ ସ୍ଥିରତାକୁ ମୂଲ୍ୟ ଦେଉଛି। ଏହି ଅବସ୍ଥା ଏକ ଶିକ୍ଷକ ପାଇଁ କେତେ ଯନ୍ତ୍ରଣାଦାୟକ, ତାହା କେବଳ ସେମାନେ ଅନୁଭବ କରିପାରିବେ।
ମାନସିକ ଚାପ ଓ ସାମାଜିକ ଅବହେଳା ସହ ଆର୍ଥିକ ସଂକଟ ଶିକ୍ଷକ ସମାଜ କୁ ଚାପ ମଧ୍ୟ କୁ ଠେଲି ଦେଉଛି । ଅନିଶ୍ଚିତ ଭବିଷ୍ୟତ, ଚାକିରି ହରାଇବାର ଭୟ, ପରିବାରର ଚାପ, ସମାଜର ଅବହେଳା—ସବୁମିଶି ସେମାନଙ୍କୁ ଭିତରୁ ଭାଙ୍ଗିଦେଉଛି। ତଥାପି ସେମାନେ ପ୍ରତିଦିନ ଶ୍ରେଣୀକକ୍ଷକୁ ଯାନ୍ତି, ହସମୁଖରେ ପଢ଼ାନ୍ତି, ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଅନ୍ତି|
ଏହା ଏକ ନିରବ ତ୍ୟାଗ। ସେମାନଙ୍କ ମୁହଁରେ ହସ ଥାଏ, କିନ୍ତୁ ମନ ଓ ହୃଦୟ ଥାଏ ଅଶ୍ରୁପୂର୍ଣ୍ଣ ।
ଗ୍ରାମାଞ୍ଚଳର ଉଚ୍ଚଶିକ୍ଷାକୁ ରକ୍ଷା କରୁଥିବା ଯୋଦ୍ଧାମାନେ
ଓଡ଼ିଶାର ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଅନେକ ମହାବିଦ୍ୟାଳୟ ଏହି ଅଧ୍ୟାପକମାନଙ୍କ ଉପରେ ନିର୍ଭର କରି ଚାଲୁଛି। କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ପରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ପ୍ରଥମ ପିଢ଼ିର ଶିକ୍ଷାର୍ଥୀ। ସେମାନଙ୍କ ଜୀବନରେ ଏହି ଶିକ୍ଷକମାନେ କେବଳ ଅଧ୍ୟାପକ ନୁହେଁ—ସେମାନେ ପଥପ୍ରଦର୍ଶକ, ଅଭିଭାବକ ଓ ପ୍ରେରଣା ମଧ୍ୟ, ଯଦି ଏହି ଅଧ୍ୟାପକମାନେ କଲେଜ ରେ ନଥାନ୍ତେ, ଅନେକ କଲେଜରେ ପାଠପଢ଼ା ପ୍ରାୟ ଅସମ୍ଭବ ହୋଇଯାଇଥାନ୍ତା। ସେମାନଙ୍କ ତ୍ୟାଗ ଓ ନିଷ୍ଠା ଗ୍ରାମାଞ୍ଚଳର ଉଚ୍ଚଶିକ୍ଷାକୁ ବଞ୍ଚାଇ ରଖିଛି।
ଏହି ଶିକ୍ଷକମାନଙ୍କ ଜୀବନ ଆମକୁ ଶିଖାଏ ଯେ ଶିକ୍ଷାଦାନ କେବଳ ଚାକିରି ନୁହେଁ; ଏହା ତପସ୍ୟା ସହ ସମାନ । ସେମାନେ ଜାଣନ୍ତି ଯେ ବେତନ କମ୍‌, ଭବିଷ୍ୟତ ଅନିଶ୍ଚିତ, ତଥାପି ସେମାନେ ପଢ଼ାଇବା ବନ୍ଦ କରୁନାହାନ୍ତି। କାରଣ ସେମାନଙ୍କ ବିଶ୍ୱାସ—ଏକ ଶିକ୍ଷିତ ଛାତ୍ର ହିଁ ଏକ ଶକ୍ତିଶାଳୀ ସମାଜର ଭିତ୍ତିଭୂମି|
“ଯିଏ ନିଜ ଜୀବନର କଷ୍ଟକୁ ଲୁଚାଇ ଅନ୍ୟଙ୍କ ଭବିଷ୍ୟତକୁ ଗଢ଼େ—ସେଇ ହେଉଛି ସତ୍ୟ ଶିକ୍ଷକ।”
“ବେତନ ନଥିଲେ ମଧ୍ୟ ଯିଏ ଶିକ୍ଷାର ଦୀପ ଜଳାଇ ରଖେ, ସେ କେବଳ କର୍ମଚାରୀ ନୁହେଁ—ସେ ରାଷ୍ଟ୍ରର ନିର୍ମାତା।”
ସରକାର ଓ ସମାଜ ପାଇଁ ଏକ ପ୍ରଶ୍ନ -ଯେଉଁମାନେ ଆଗାମୀ ପିଢ଼ି ଗଢ଼ୁଛନ୍ତି, ସେମାନଙ୍କ ଜୀବନ ଏତେ ଅସୁରକ୍ଷିତ କାହିଁକି? ଯଦି ଏକ ଶିକ୍ଷକ ନିଜ ଜୀବନର ମୌଳିକ ସୁରକ୍ଷା ପାଇପାରୁନାହାନ୍ତି, ତେବେ ଏହା ଆମ ଶିକ୍ଷା ବ୍ୟବସ୍ଥାର କେମିତି ଚିତ୍ର ପ୍ରଦର୍ଶନ କରେ?
ଆଜି ଆବଶ୍ୟକ ହେଉଛି-ପରିଚାଳନା ନିଯୁକ୍ତ ଅଧ୍ୟାପକମାନଙ୍କୁ ନ୍ୟାୟସଂଗତ ବେତନ ପ୍ରଦାନ,
ସେମାନଙ୍କ ଦୀର୍ଘ ସେବାକୁ ସ୍ୱୀକୃତି,
ସାମାଜିକ ସୁରକ୍ଷା ଓ ପେନସନ ବ୍ୟବସ୍ଥା,
ସ୍ଥାୟୀକରଣ ପାଇଁ ସ୍ପଷ୍ଟ ନୀତି,
“ସମାନ କାମ ପାଇଁ ସମାନ ବେତନ” ନୀତିର ପ୍ରୟୋଗ
ଉଚ୍ଚଶିକ୍ଷାରେ ମାନବିକ ଓ ସମାନତାମୂଳକ ନୀତି ଗଠନ|
ଓଡ଼ିଶାର ଏହି ଅଦୃଶ୍ୟ ଅଧ୍ୟାପକମାନେ କେବଳ ନିଜ ଅଧିକାର ପାଇଁ ନୁହେଁ, ଶିକ୍ଷାର ସମ୍ମାନ ପାଇଁ ସଂଘର୍ଷ କରୁଛନ୍ତି। ସେମାନେ ପୁରସ୍କାର ଚାହୁଁନାହାନ୍ତି; ସେମାନେ କେବଳ ନ୍ୟାୟ ଚାହୁଁଛନ୍ତି। ସେମାନେ ଚାହୁଁଛନ୍ତି ସମାଜ ସେମାନଙ୍କ ତ୍ୟାଗକୁ ବୁଝୁ, ସରକାର ସେମାନଙ୍କ ସମସ୍ୟାକୁ ଅନୁଭବ କରୁ, ଏବଂ ନୀତିନିର୍ଦ୍ଧାରକମାନେ ସେମାନଙ୍କ ପ୍ରତି ମାନବିକତା ପ୍ରଦର୍ଶନ କରନ୍ତୁ ।
କାରଣ ଏକ ରାଷ୍ଟ୍ରର ଭବିଷ୍ୟତ କେବଳ ସଂସଦରେ ନୁହେଁ, ଶ୍ରେଣୀକକ୍ଷରେ ଲେଖାଯାଏ। ଏବଂ ସେହି ଭବିଷ୍ୟତର ନିର୍ମାତା ହେଉଛନ୍ତି ଏହି ନିରବ, ଅବହେଳିତ, କିନ୍ତୁ ଅଦମ୍ୟ ଅଧ୍ୟାପକମାନେ।
“ରାଷ୍ଟ୍ର ଗଢ଼ିବାର ଯୁଦ୍ଧ କେବଳ ସୀମାରେ ନୁହେଁ, ଶ୍ରେଣୀକକ୍ଷରେ ମଧ୍ୟ ଲଢ଼ାଯାଉଛି—ଏବଂ ସେଇ ଯୁଦ୍ଧର ସତ୍ୟ ସୈନିକ ହେଉଛନ୍ତି ଆମର ଅଦୃଶ୍ୟ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ।”

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

    ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ