କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କା (୨,୮୬,୫୮୮.୪୬ କୋଟି ଟଙ୍କା)ର ଏକ ସର୍ବକାଳୀନ ରେକର୍ଡ ଲାଭାଂଶ ପ୍ରଦାନ କରିବାକୁ ଘୋଷଣା କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆରବିଆଇ ଏହି ଲାଭାଂଶ ଦେବ। ପୂର୍ବରୁ ବିଭିନ୍ନ ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ଏପରି ଲାଭାଂଶ ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକ ବର୍ଷର ଲାଭାଂଶ ପରିମାଣ ସର୍ବାଧିକ ରହିଛି। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ୨.୬୯ ଲକ୍ଷ କୋଟି ଓ ୨୦୨୪-୨୫ ବର୍ଷରେ ୨.୧୦ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା।

ଏହା ସହ ବିଗତ ଅନ୍ୟ ଆର୍ଥିକ ବର୍ଷଗୁଡିକରେ ମଧ୍ୟ ଆରବିଆଇ ଏହାର ଲାଭାଂଶ ସରକାରଙ୍କୁ ପ୍ରଦାନ କରିଆସୁଛି। ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିବା ବେଳେ ଏହି ବିପୁଳ ପରିମାଣର ଅର୍ଥ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ସଞ୍ଜୀବନୀ ସଦୃଶ ହୋଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସର ଦାମ୍‌ ବଢ଼ିବାରେ ଲାଗିଛି। ଭାରତ ତାର ଆବଶ୍ୟକତାର ପ୍ରାୟ ୮୦% ରୁ ଅଧିକ ତୈଳ ଆମଦାନୀ କରିଥାଏ। ଆରବିଆଇ ଠାରୁ ମିଳିବାକୁଥିବା ଏହି ଅତିରିକ୍ତ ପାଣ୍ଠି ଯୋଗୁଁ ସରକାରଙ୍କ ଉପରେ ବଢ଼ୁଥିବା ଆମଦାନୀର ବୋଝ ହ୍ରାସ ପାଇବ। ତୈଳ ଦର ବଢ଼ିଲେ ମଧ୍ୟ ସରକାର ଦେଶ ଭିତରେ ପେଟ୍ରୋଲ-ଡିଜେଲ ଦାମ୍‌କୁ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହେବେ। ଯୁଦ୍ଧ ସଙ୍କଟ କାରଣରୁ କେବଳ ପେଟ୍ରୋଲିୟମ ନୁହେଁ, ବରଂ ସାର ଏବଂ ଖାଦ୍ୟ ସାମଗ୍ରୀର ବିଶ୍ୱସ୍ତରୀୟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସରକାର ଚାଷୀ ଏବଂ ସାଧାରଣ ଜନତାଙ୍କୁ ଦେଉଥିବା ସାର ଓ ଖାଦ୍ୟ ସବସିଡିର ଖର୍ଚ୍ଚ ଏହି ପାଣ୍ଠି ମାଧ୍ୟମରେ ସହଜରେ ଭରଣା କରିପାରିବେ ଯାହାଦ୍ୱାରା ବଜେଟ୍ ଉପରେ ଚାପ ପଡ଼ିବ ନାହିଁ। ଯୁଦ୍ଧ ପରିସ୍ଥିତିରେ ଆମଦାନୀ ମହଙ୍ଗା ହେଲେ ଏବଂ ବିଦେଶୀ ପୁଞ୍ଜି ନିବେଶକମାନେ ବଜାରରୁ ଟଙ୍କା ପ୍ରତ୍ୟାହାର କଲେ ଦେଶର ରାଜକୋଷ ଉପରେ ପ୍ରଭାବ ବଢ଼ିବାର ଭୟ ଥାଏ। ଆରବିଆଇରୁ ମିଳିଥିବା ଏହି ଅର୍ଥ ସରକାରଙ୍କ ‘ଅଣ-ଟିକସ ରାଜସ୍ୱ’କୁ ବହୁତ ବଢ଼ାଇ ଦେଇଛି। ଏହାଦ୍ୱାରା ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରିଥିବା ରାଜକୋଷ ନିଅଣ୍ଟ ଲକ୍ଷ୍ୟ (ଜିଡିପିର ୪.୩%) କୁ ସନ୍ତୁଳନରେ ରଖିବାରେ ସଫଳ ହେବେ। ଆରବିଆଇର ଏହି ଲାଭାଂଶ ସାହାଯ୍ୟରେ ସରକାର ରାଜପଥ, ରେଳପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାମକୁ ତ୍ବରାନ୍ବିତ କରିପାରିବେ। ଏହାଦ୍ୱାରା ଦେଶରେ ରୋଜଗାର ସୃଷ୍ଟି ଜାରି ରହିବ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ଗତ ଆର୍ଥିକ ବର୍ଷରେ ଆରବିଆଇର ମୋଟ ଆୟ ପ୍ରାୟ ୨୬.୪୨% ବୃଦ୍ଧି ପାଇଛି। ବିଦେଶୀ ମୁଦ୍ରାର ବିକ୍ରି, ଆମେରିକୀୟ ବଣ୍ଡ୍‌ରୁ ମିଳିଥିବା ଭଲ ସୁଧ ଏବଂ ଆରବିଆଇର ସୁନା ଗଚ୍ଛିତ ପରିମାଣ ବୃଦ୍ଧି ପାଇବା ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ବିପୁଳ ଲାଭ କମାଇଛି।

ସେହିପରି ଆରବିଆଇ ନିଜର ଜରୁରୀକାଳୀନ ପାଣ୍ଠି ବା କଣ୍ଟିଜେଣ୍ଟ ରିକ୍ସ ବଫର (ସିଆରବି)କୁ ମଧ୍ୟ ୬.୫%ରେ ସୁରକ୍ଷିତ ରଖିଛି। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକରୁ ଆରବିଆଇ ୧.୯୮ କୋଟି ଟଙ୍କା ଲାଭ ପାଇଛି। ଏହି ଲାଭାଂଶ ବ୍ୟତୀତ ଆଗାମୀ ସମୟରେ ମଧ୍ୟ ଆରବିଆଇ ପକ୍ଷରୁ ସରକାରଙ୍କୁ ଅତିରିକ୍ତ ଲାଭାଂଶ ପ୍ରଦାନ କରିବେ ବୋଲି ସରକାର ଆଶା ରଖିଛନ୍ତି। ଏପରି କି ଆରବିଆଇ ଠାରୁ ମିଳିବାକୁ ଥିବା ମୋଟ ଲାଭାଂଶ ପରିମାଣ ୩.୧୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶା କରାଯାଇଛି।

  • Related Posts

    ଆମେରିକୀୟ ସଂସଦ ନିମ୍ନ ସଦନରେ ଆମେରିକା-ଇରାନ ଯୁଦ୍ଧ ରୋକିବା ବିଲ୍ ପାରିତ

    ୱାଶିଂଟନ୍: ବୁଧବାର ଆମେରିକା ସଂସଦ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ ପାରିତ ହୋଇଛି। ଟ୍ରମ୍ପଙ୍କ ନିଜ ଦଳ ରିପବ୍ଲିକାନର କିଛି ସାଂସଦ ବିରୋଧୀ ଡେମୋକ୍ରାଟ୍ସଙ୍କ ସହ ମିଶି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛନ୍ତି। ଇରାନ ବିରୋଧରେ…

    Continue reading
    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ