
ଭୁବନେଶ୍ବର: ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଆଜି ସକାଳେ ସେ ମେଡିକାଲ କଲେଜ୍ ମାନଙ୍କର ଅଧ୍ୟକ୍ଷ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏଚମପିଭି ଭାଇରସକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। କଟକ ଓ ଭୁବନେଶ୍ବରରେ ଥିବା ଘରୋଇ ଡାକ୍ତରଖାନାମାନଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ମେଡିକାଲରେ ଆବଶ୍ୟକୀୟ ବେଡ୍ ରହିଛି। ସରକାର ପ୍ରସ୍ତୁତ ଅଛନ୍ତି। ଏହା ସିଗନାଲ୍ ଭାଇରସ୍ ହୋଇଥିବାରୁ ଭୟଭୀତ ହୁଅନ୍ତୁ ନାହିଁ। କେନ୍ଦ୍ର ସରକାର ଏନେଇ ଯେଉଁ ଗାଇଡଲାଇନ୍ ଆଣିବେ ତାକୁ ପାଳନ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି କହିଛନ୍ତି, ପ୍ରବାସୀ ଭାରତୀୟ ପାଇଁ ଏମର୍ଜେନ୍ସିରେ ପହଞ୍ଚିବାକୁ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥିଲାଗି କୋର୍ଡିନେଟିଙ୍ଗ ଅଫିସର ନିଯୁକ୍ତ ହେବେ।. ଜନତା ମୈଦାନ ହେଉ କି ହୋଟେଲ ଯେଉଁଠି ବି କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ, ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ନିର୍ଦ୍ଦେଶ ଦିଆଯାଇଛି।








