
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ ବର୍ଷିଛନ୍ତି । ନାମାଙ୍କନ ଦାଖଲ କରିବା ପରେ ଦେବାଶିଷ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,ବିଜେଡି ଭାଡ଼ି ଖାଲି ହେଉଛି । ଆଗାମୀ ଦିନରେ କ’ଣ ହେଉଛି ଦେଖନ୍ତୁ। ଅଧିକରୁ ଅଧିକ ନେତା ବିଜେପିକୁ ଆସିବେ, ଏଠି ଅଧିକ ସୁଯୋଗ ଅଛି। ଲୋକଙ୍କୁ ସେବା କରିବାର ସୁଯୋଗ ଭାଜପାରେ ଅଧିକ ଅଛି। ଡବଲ ଇଞ୍ଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି ବୋଲି ଦେବାଶିଷ କହିଛନ୍ତି।
ସେପଟେ ବିଜେଡି ଏବେ ବିଲୟ ମୁହାଁ ବୋଲି କହି ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ଦଳ ଜନ୍ମ ନେଇ ସମାପ୍ତ ହୋଇଛନ୍ତି। ଯେଉଁଭଳି ନେତା ମାନେ ବିଜେଡି ଛାଡୁଛନ୍ତି ଏହା ଏବେ ବିଲୟ ମୁହାଁ।ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି, ଖୁବ ଶୀଘ୍ର ଅଲଆଉଟ। ବିନା ବିଚାରଧାରାରେ କ୍ଷମତା ସର୍ବସ୍ବ ଦଳ କେବେ ଦୀର୍ଘାୟୁ ହୋଇନାହିଁ’ ।
ଆଜି ଦେବାଶିଷ ସାମନ୍ତରାୟ ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ୧୧ଟାରେ ପଟୁଆରରେ ବାହାରି ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ପାର୍ଟିର ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ବିଜେପିର ଶକ୍ତି ବଢିଛି। ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି। ସେ ବିଜେପିରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେଉଛି। ଅନ୍ୟ ନେତା ବିଜେପିକୁ ଆସିବାକୁ ଆଲୋଚନା କରୁଛନ୍ତି।
ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡ଼ିଛି। ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ୟ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ ହୋଇଥା’ନ୍ତା। ତା’ ପୂର୍ବରୁ ୨୦୨୬ ମେ’ ୨୫ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ମେ’ ୨୫ରେ ସେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଦେଇଥିଲେ। ମେ’ ୨୬ରେ ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ବିଜେପି ତାଙ୍କୁ ଏହି ଉପନିର୍ବାଚନରେ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଥିଲା।
ରାଜ୍ୟସଭା ଉପନିର୍ବାଚନ ଜୁନ୍ ୮ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୯ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧। ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ହେବ ଓ ଫଳାଫଳ ଘୋଷଣା କରାଯିବ। ଯଦି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନଦିଅନ୍ତି ଅବା କେହି ସ୍ୱାଧୀନ ଭାବେ ପ୍ରାର୍ଥୀ ନ ହୁଅନ୍ତି, ତା’ହେଲେ ଭୋଟ୍ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଦେବାଶିଷ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେବେ।


