
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ମିଳିଛି । ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ଗୋଟିଏ, ପର୍ଯ୍ୟଟନ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ସଂଗଠିତ ଓ ରଣନୈତିକ ଉପାୟରେ ସହରାଞ୍ଚଳ ବିକାଶକୁ ପରିଚାଳନା କରିବା ପାଇଁ ଟାଉନ ପ୍ଲାନିଂ ସ୍କିମ୍ ଆରମ୍ଭ କରିଛି । ଟିପି ସ୍କିମ୍ ଅଞ୍ଚଳଗୁଡ଼ିକରେ ୨୪x୭ ଜଳ ଯୋଗାଣ ବ୍ୟବସ୍ଥା ପ୍ରକଳ୍ପ ୱାଟକୋ ଦ୍ବାରା କାର୍ଯ୍ୟକାରୀ ହେବ । ଏଥିପାଇଁ ୩୧.୧୧୨ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହି କାର୍ଯ୍ୟ ନିର୍ବାହ ପାଇଁ ମେସର୍ସ ଶିଭମ କନ୍ଦେଭ (ପି) ଲିମିଟେଡ ଏବଂ ଶ୍ରୀ ହରି ଇନ୍ଫ୍ରାପ୍ରୋଜେକ୍ଟସ୍ (ପି) ଲିମିଟେଡ ଜେଭି, ଭୁବନେଶ୍ବରଙ୍କୁ ଚୟନ କରାଯାଇଛି । ଏହି ପ୍ରକଳ୍ପଟି ୨୦୨୮ ମସିହା ଏପ୍ରିଲ ମାସ ସୁଦ୍ଧା ଶେଷ ହେବ ।


