
ସମ୍ବଲପୁର: ଧୁମ୍ଧାମ୍ରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । ଆଜି (ଶୁକ୍ରବାର) ପ୍ରାତଃକାଳରେ ସମ୍ବଲପୁରର ସମସ୍ତ ଶୀତଳଷଷ୍ଠୀ କମିଟିରେ ଦେବ ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ସକାଳ 4 ଟା ସମୟରୁ ବିବାହ ରୀତିନାତି ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା ।
ସମ୍ବଲପୁରର ଝାଡୁଆପଡା ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ବଡ଼ବାଜାରର ଶୀତଳେଶ୍ୱର ବାବା, ଶଙ୍କର ମଠର ସ୍ଵପ୍ନେଶ୍ଵର ବାବା, ଠାକୁର ପଡାର ଗୁପ୍ତେଶ୍ୱର ବାବା, ବାଲିବନ୍ଧା ସୋମନାଥ ବାବା, ଦୁର୍ଗାପାଲି ଗୁଡ଼େଶ୍ୱର ବାବାଙ୍କ ସହ ସମସ୍ତ ଯାତ୍ରା କମିଟିର ଦେବ ବିବାହ ଆଜି ସକାଳୁ ଶେଷ ହୋଇଛି l
ଗୁରୁବାର ବିଳମ୍ବିତ ରାତି ପ୍ରାୟ 11ଟା ସମୟରେ ମହାଆଳତି ଓ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିଥିଲା । ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାରମ୍ପରିକ ଲୋକ କଳାକାର ଦଳ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ଆଧୁନିକ ନୃତ୍ୟ ଦଳ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲେ ।
ପାରମ୍ପରିକ ଲୋକ କଳାକାରଙ୍କ ନୃତ୍ୟ, ଗୀତ ଓ ବାଦ୍ୟରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ଘଣ୍ଟ, ଘଣ୍ଟା, ଶଙ୍ଖ, ମର୍ଦଲର ଶବ୍ଦ ପରିବେଶକୁ ଆଧ୍ୟାତ୍ମିକ କରି ଦେଇଥିଲା । ଏମିତି ରାତି ତମାମ ପ୍ରାୟ 3ଟା ପର୍ଯ୍ୟନ୍ତ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା । ରାତି ପ୍ରାୟ ସାଢେ 3ଟାରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ପାର୍ବତୀଙ୍କ ପିତା ମାତାଙ୍କ ଘରେ ପହଞ୍ଚିବା ପରେ କନ୍ୟାପକ୍ଷ ମହାଦେବଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ବାଟବରଣ, ମହା ଆଳତୀ, ଲବଣ ଚାମୁରୀ ନୀତି ସଂପନ୍ନ କରିଥିଲେ । ଏହାପରେ ମହାଦେବ, କନ୍ୟା ଘରକୁ ପ୍ରବେଶ କରିଥିଲେ । ଆଜି ଭୋର 4 ଟାରୁ ଦେବ ବିବାହ ପ୍ରକ୍ରିୟା ଆରମ୍ଭ ହୋଇ ଆଜି ପୂର୍ବାହ୍ନ ସମୟ ମଧ୍ୟରେ ଦେବ ବିବାହ ସମ୍ପନ୍ନ ହୋଇଛି ।ଆଜି ବିଳମ୍ବିତ ରାତିରେ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ଶନିବାର ସକାଳ ପର୍ଯ୍ୟନ୍ତ ଚାଲିବ । ଏହାପରେ 2 ଘଣ୍ଟାର ବିରତି ପରେ ପୁଣି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରି ଶନିବାର ସନ୍ଧ୍ୟାରେ ଯୁଗଳ ମୂର୍ତ୍ତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳ ଷଷ୍ଠୀ ଯାତ୍ରା ସମାପନ ହେବ ।


