
ଦେବଗଡ଼:ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନ ତଥା ସଚିବ ଏବଂ ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଆଜି ଦେବଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ପରିଦର୍ଶନ ଓ ସମୀକ୍ଷା କରିଥିଲେ।ଶ୍ରୀ ପୁନିଆ ପ୍ରଥମେ ବାରକୋଟ ବ୍ଲକର ଝରାବାହାଳ ଗ୍ରାମରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରାବାସର ପରିଦର୍ଶନ କରିବା ସହ ଛାତ୍ର ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବମପରଡା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ।କଲା ଗ୍ରାମରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପରିଦର୍ଶନ କରିବା ସହ ଗୋପାଳକ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ।ବାହାଡାପଶି ଗ୍ରାମରେ ଥିବା ମେଗା ପାନୀୟ ଜଳ ଯୋଗାଣ ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ପରେ ତିଲେଇବଣି ବ୍ଲକର ଭୁକାବେଡା ଗ୍ରାମରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ନିଯୁକ୍ତି ପତ୍ର ବିତରଣ କରିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ପ୍ରେକ୍ଷାଳୟ ପରିଦର୍ଶନ କରିଥିଲେ ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ପୁନିଆ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିବା ସହ ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ।ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଡିଏଫଓ ମିସ୍ ରଶ୍ମି ଜୀ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।




