
ଭୁବନେଶ୍ବର: ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ୟ୍ୟରତ ଥିବା ଗ୍ରାମ ରୋଜଗାର ସେବକ ବା ଜିଆରଏସଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ନିଯୁକ୍ତି, ସେବାକାଳଠାରୁ କାର୍ୟ୍ୟସ୍ଥିତି ପର୍ୟ୍ୟନ୍ତ ସମସ୍ତ ସୂଚନା ମାଗିଛନ୍ତି ସରକାର । ଏହି ତଥ୍ୟ ଆଧାରରେ ଏକ କେନ୍ଦ୍ରୀକୃତ ଡେଟାବେସ ପ୍ରସ୍ତୁତ କରିବେ ସରକାର । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ୧୫ ଦିନ ମଧ୍ୟରେ ସବିଶେଷ ତଥ୍ୟ ପଠାଇବାକୁ କୁହାଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଉପ ସଚିବ ନମିତା ସାହୁଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଜାରି ହୋଇଥିବା ଚିଠିରେ କୁହାଯାଇଛି, “୫ ବର୍ଷ କିମ୍ବା ତା’ଠାରୁ ଅଧିକ ନିରବଚ୍ଛିନ୍ନ ସେବା ପୂରଣ କରିଥିବା ଏଜଝମାନଙ୍କ ଏକ ସମନ୍ୱିତ ଡେଟାବେସ ପ୍ରସ୍ତୁତ କରିବାକୁ ସରକାର ବିଚାର କରୁଛନ୍ତି । ଏହି ତଥ୍ୟ ପ୍ରଶାସନିକ ପରିଚାଳନା, ଭବିଷ୍ୟତର ନୀତି ନିର୍ଦ୍ଧାରଣ ଓ ବିଭିନ୍ନ ସେବା ସମ୍ବନ୍ଧୀୟ ପ୍ରସ୍ତାବର ପରୀକ୍ଷାରେ ସହାୟକ ହେବ । ପୂର୍ବରୁ ଯୋଗ୍ୟ ଗ୍ରାମ ରୋଜଗାର ସେବକଙ୍କୁ ଆକାଉଣ୍ଟାଣ୍ଟ-ତଥା-ଡାଟା ଏଣ୍ଟ୍ରି ଅପରେଟର ବା ଏଡିଇଓ ପଦରେ ସାମିଲ କରିବା ସମ୍ପର୍କିତ ପ୍ରସ୍ତାବ ବେଳେ ମଧ୍ୟ ଏଭଳି ତଥ୍ୟର ଆବଶ୍ୟକତା ପଡ଼ିଥିବାରୁ ଏହାକୁ ସ୍ଥାୟୀ ଭାବେ ସଂରକ୍ଷଣ କରିବାକୁ ବିଭାଗ ଉଦ୍ୟମ କରିଛି ।”
ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଜିଲ୍ଲାରେ କାର୍ୟ୍ୟରତ ଏବଂ ଚିଠି ଜାରି ତାରିଖ ସୁଦ୍ଧା ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସେବା ପୂରଣ କରିଥିବା ସମସ୍ତ ଜିଆରଏସମାନଙ୍କ ବିସ୍ତୃତ ତଥ୍ୟ ପଠାଇବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏଥିରେ ସେମାନଙ୍କ ନାମ, ସାମାଜିକ ବର୍ଗ, ଶିକ୍ଷାଗତ ଯୋଗ୍ୟତା, ପ୍ରଥମ ନିଯୁକ୍ତି ତାରିଖ, ମୋଟ ସେବାକାଳ, ବର୍ତ୍ତମାନ କାର୍ୟ୍ୟରତ ବ୍ଲକ ଓ ଗ୍ରାମ ପଞ୍ଚାୟତର ନାମ, କାର୍ୟ୍ୟସ୍ଥିତି (କାର୍ୟ୍ୟରତ, ନିଲମ୍ବିତ କିମ୍ବା ଅବ୍ୟାହତ), ସେବା ନିରବଚ୍ଛିନ୍ନ ରହିଛି କି ନାହିଁ ଏବଂ ଆବଶ୍ୟକ ମନ୍ତବ୍ୟ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ତଥ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ପତ୍ରରେ ପ୍ରସ୍ତୁତ କରି ହାର୍ଡ କପି ସହ ଏଡିଟେବଲ ଏମ୍ଏସ ଏକ୍ସେଲ ଫର୍ମାଟରେ ଇ-ମେଲ ଯୋଗେ ପଠାଇବାକୁ ପଡ଼ିବ । ଚିଠି ପ୍ରାପ୍ତିର ୧୫ ଦିନ ମଧ୍ୟରେ ଏହି କାମ ସରିବା ଆବଶ୍ୟକ ବିଳମ୍ବ ନକରି ଏହାକୁ ‘ଅତ୍ୟନ୍ତ ଜରୁରୀ’ ଭିତ୍ତିରେ ସମ୍ପନ୍ନ କରିବାକୁ ମଧ୍ୟ ବିଭାଗ ଜୋର ଦେଇଛି ।
ସରକାରଙ୍କ ଏହି ପଦକ୍ଷେପକୁ ନେଇ ଗ୍ରାମ ରୋଜଗାର ସେବକଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି । ବହୁ ବର୍ଷ ଧରି ସେବା ଦେଉଥିବା ଜିଆରଏସଙ୍କ ତଥ୍ୟ ସଂଗ୍ରହ ପଛରେ ଭବିଷ୍ୟତରେ ସେବା ସର୍ତ୍ତ, ପଦୋନ୍ନତି କିମ୍ବା ନିୟମିତିକରଣ ଭଳି ପ୍ରସଙ୍ଗରେ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଚିଠିରେ ସେପରି କୌଣସି ସ୍ପଷ୍ଟ ଉଲ୍ଲେଖ କରାଯାଇନାହିଁ । ସରକାର କେବଳ ପ୍ରଶାସନିକ ଓ ନୀତିଗତ ଆବଶ୍ୟକତା ପାଇଁ ଏହି ତଥ୍ୟ ସଂଗ୍ରହ କରାଯାଉଥିବା ସ୍ପଷ୍ଟ କରିଛନ୍ତି ।




