
ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ୨୦୨୪-୨୫ରେ ୧୦୫୧.୫୬ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ୨୦୨୩-୨୪ରେ ଏହି ଦଳଗୁଡ଼ିକୁ ୩୪୭.୬୯ କୋଟି ଟଙ୍କା ଦାନ ମିଳିଥିଲା। ଏଥିରେ ୨୦ ହଜାର ଟଙ୍କାରୁ ଅଧିକ ଦାନ ରାଶି ସାମିଲ ରହିଛି। ସମୀକ୍ଷାଧୀନ ଅବଧିରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମକେ ସର୍ବାଧିକ ଟଙ୍କା ଦାନ ଆକାରରେ ପାଇଛି। ତେବେ ଓଡ଼ିଶାର ବିରୋଧୀ ଦଳ ଭାବେ ବିଜେଡି ୬୦ କୋଟି ଟଙ୍କା ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ଗୁରୁବାର ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଦୁଇ ବର୍ଷରେ ମିଳିଥିବା ଦାନ ସଂଖ୍ୟା କ୍ରମାଗତ ଭାବେ ୫,୨୯୭ (୨୦୨୪-୨୫) ଏବଂ ୨୮୬୧ (୨୦୨୩-୨୪) ରହିଛି। ଏହା ୮୫ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। ଏହି ରାଜନୈତିକ ଫଣ୍ଡିଂରେ କର୍ପୋରେଟ ଓ ବ୍ୟବସାୟ ଜଗତର ଦବଦବା ରହିଛି। କେବଳ ଏହି କ୍ଷେତ୍ରରୁ ୬୪୪.୯୩ କୋଟି ଟଙ୍କା ମିଳିଛି। ସେହିପରି ବ୍ୟକ୍ତିଗତ ଦାତାମାନେ ୧୯୩.୯୫ କୋଟି ଟଙ୍କା ଦାନ ଦେଇଛନ୍ତି। ଏହା ମିଳିଥିବା ମୋଟ ଦାନର ୧୪ ପ୍ରତିଶତ। ତେବେ ଚିନ୍ତାର ବିଷୟ ଏହି କି ଯେ ଅଘୋଷିତ ସୂତ୍ରରୁ ଦାନ ଅହେତୁକ ବୃଦ୍ଧି ପାଇଛି। ୨୦୨୩-୨୪ରେ ଏହା ୬.୬୨ କୋଟି ଥିବାବେଳେ ୨୦୨୪-୨୫ରେ ୩୦୨.୬୭ କୋଟିରେ ପହଞ୍ଚି ଯାଇଛି।
ଡିଏମକେ ସମୀକ୍ଷାଧୀନ ଅବଧିରେ ସର୍ବାଧିକ ୩୬୫.୭୮ କୋଟି ଟଙ୍କାର ଦାନ ପାଇଛି। ଏଥିରୁ ୮୨ ପ୍ରତିଶତ ଦାନ ଅଘୋଷିତ ସୂତ୍ରରୁ ମିଳିଛି। ଡିଏମକେ ପଛକୁ ୧୮୪.୯୬ କୋଟି ଟଙ୍କା ସହ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି) ଦ୍ବିତୀୟ, ୧୪୦.୦୪ କୋଟି ସହ ୱାଇଏସଆର କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟରେ କୁହଯାଇଛି ଯେ ଏଆଇଟିସି, ୱାଇଏସଆର୍ କଂଗ୍ରେସ, ଟିଡିପି, ଏଆଇଡିମକେ ଏବଂ ବିଜୁ ଜନତା ଦଳ ପ୍ରାୟ ସମ୍ପୂର୍ଣ୍ଣ ଭାବରେ କର୍ପୋରେଟ୍ ଏବଂ ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକର ଦାନ ଉପରେ ନିର୍ଭରଶୀଳ। ଅନ୍ୟାନ୍ୟ ବର୍ଗରୁ ଏହି ଦଳଗୁଡିକୁ ଅତି ନଗଣ୍ୟ କିମ୍ବା ଆଦୌ ଦାନ ମିଳିନାହିଁ କହିଲେ ଚଳେ। ସମୀକ୍ଷାଧୀନ ଦୁଇ ଆର୍ଥିକ ବର୍ଷରେ ପ୍ରୁଡେଣ୍ଟ ଇଲେକଟୋରାଲ ଟ୍ରଷ୍ଟ ସବୁଠୁ ବଡ଼ ଦାତା ଭାବେ ଉଭା ହୋଇଛି। ୩୮ ଦାତାଙ୍କ ମାଧ୍ୟମରେ ଏହି ଟ୍ରଷ୍ଟ ୪୩୪ କୋଟି ଟଙ୍କା ପ୍ରଦାନ କରିଛି। ଏହା ସହିତ ନଗଦ ଦାନ ବୃଦ୍ଧି ପାଇ ୩୦୧.୪୪ କୋଟିରେ ପହଞ୍ଚି ଯାଇଛି।




