ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା କରି ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏକ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥାର ଆବଶ୍ୟକତା ଥିବା ବେଳେ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚକୁ ମଧ୍ୟ ବ୍ୟାପକ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ। ଅର୍ଥବିଭାଗ ପକ୍ଷରୁ ରାଜସ୍ୱ ପ୍ରାପ୍ତି ଓ ଖର୍ଚ୍ଚ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖାଯାଇଥିଲା । ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜସ୍ୱରେ କେନ୍ଦ୍ର ସରକାରଙ୍କ ଅନୁଦାନ ୧୦%, କେନ୍ଦ୍ରୀୟ ଟିକସରେ ଅଂଶ ୩୧%, ନିଜସ୍ୱ ଟିକସ ରାଜସ୍ୱ ୩୧% ଏବଂ ନିଜସ୍ୱ ଅଣରାଜସ୍ୱ ଟିକସ ୨୮% ।

ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ବିଭିନ୍ନ ସୂତ୍ରରୁ ସମୁଦାୟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ରାଜସ୍ୱ ଆଦାୟ ତୁଳନାରେ ଏହା ହେଉଛି ୭.୩% ଅଧିକ । ସେହିପରି, ଚଳିତ ବର୍ଷର ଜୁଲାଇ ସୁଦ୍ଧା ରାଜ୍ୟର ସମୁଦାୟ ନିଜସ୍ୱ ରାଜସ୍ୱ ପୂର୍ବ ବର୍ଷ ଜୁଲାଇ ଅପେକ୍ଷା ୧୧.୯% ଅଧିକ ରହିଛି । ରାଜ୍ୟର ସମୁଦାୟ ନିଜସ୍ୱ ଟିକସ ରାଜସ୍ୱ ମଧ୍ୟ ଜୁଲାଇ ସୁଦ୍ଧା ପୂର୍ବ ବର୍ଷ ଅପେକ୍ଷା ୯.୩% ଅଧିକ ରହିଛି, ଏବଂ ଅଣଟିକସ ରାଜସ୍ୱ ପୂର୍ବ ବର୍ଷ ଜୁଲାଇ ଅପେକ୍ଷା ୧୪.୮% ଅଧିକ ରହିଛି ।
ରାଜସ୍ୱ ଆଦାୟରେ ଅଭିବୃଦ୍ଧି ହାର ଉତ୍ତମ ଥିବା ସହିତ କାର୍ଯ୍ୟକ୍ରମ ବ୍ୟୟ ଓ ପୁଞ୍ଜି ଖର୍ଚ୍ଚ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି । ଚଳିତ ଆର୍ଥକ ବର୍ଷ ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପୂର୍ବ ବର୍ଷର ଏହି ସମୟ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ଠାରୁ ୧୯.୧% ଅଧିକ ରହିଛି । ସେହିପରି, କ୍ୟାପେକ୍ସ ବା ପୁଞ୍ଜିବ୍ୟୟ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୨୬ ଜୁଲାଇ ଶେଷ ସୁଦ୍ଧା ମୋଟ ପୁଞ୍ଜିଗତ ବ୍ୟୟ ୧୧,୩୦୦ କୋଟି ଟଙ୍କା ଥିବାବେଳେ ଗତ ବର୍ଷ ଜୁଲାଇ ସୁଦ୍ଧା ଏହି ପରିମାଣ ୯,୩୯୯ କୋଟି ଟଙ୍କା ଥିଲା। ସମୁଦାୟ କ୍ୟାପେକ୍ସ ଖର୍ଚ୍ଚ ଜୁଲାଇ ସୁଦ୍ଧା ଗତ ବର୍ଷ ତୁଳନାରେ ୨୦.୨% ବୃଦ୍ଧି ପାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିନିଯୋଗର ଆବଶ୍ୟକତା ରହିଛି । ରାଜସ୍ୱ ଆଦାୟ ଏବଂ କାର୍ଯ୍ୟକ୍ରମ ଓ ପୁଞ୍ଜିବ୍ୟୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ଥିଲେ ମଧ୍ୟ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଣୁ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହିତ କ୍ୟାପେକ୍ସ’ରେ ଯେପରି ଅଧିକ ବ୍ୟୟ ହେବ, ସେଥିପ୍ରତି ବିଭିନ୍ନ ବିଭାଗ ଆହୁରି ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଅର୍ଥବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ ମିଶ୍ର ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ୟାମିନୀ ଷଡ଼ଙ୍ଗୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

  • Related Posts

    ସୁଧାକିରଣ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

    ରାଇକିଆ: ଭାରତ ସରକାରଙ୍କ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ରାଇକିଆ ସହର…

    Continue reading
    ଯୁବକଙ୍କୁ ନିର୍ମମ ହତ୍ୟା

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ