
ଭୁବନେଶ୍ୱର: ଏଣିକି ଅଦାଲତ, ବିମାନବନ୍ଦରରକୁ ବୋମାରେ ଉଡ଼େଇଦେବା ଧମକ ଶୁଣି ଆଉ ଡରିବନି ଓଡ଼ିଶା ପୁଲିସ । ସହରାଞ୍ଚଳରେ ଆତଙ୍କୀ ହମ୍ଲାକୁ ମୁକାବିଲା ପାଇଁ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍(ଏଟିଏସ୍) । ଓଡ଼ିଶାରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦୀ ସମ୍ୱନ୍ଧୀୟ ଧମକଗୁଡ଼ିକର ଦ୍ରୁତ ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି, ଆତଙ୍କବାଦ ପାଇଁ ସ୍ପେଶାଲ ଅପରେସନ ଗ୍ରୁପ୍ (ଏସ୍ଓଜି) ନିକଟରେ ପୂର୍ବରୁ ଏକ ଛୋଟ ଟାକ୍ଟିକାଲ ୟୁନିଟ୍ ଅଛି । କିନ୍ତୁ ଏକ ପୂର୍ଣ୍ଣାଙ୍ଗ ଏଟିଏସ୍ ଗଢ଼ାଗଲେ, ଅଧିକ ସଂଖ୍ୟାରେ କମାଣ୍ଡୋ ନିୟୋଜିତ ହେବେ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ଥିବା ଏସ୍ଓଜି କ୍ୟାମ୍ପସରେ ଆଧୁନିକ ତାଲିମ ସୁବିଧା ରହିଛି । ପୂର୍ବରୁ ମାଓ-ବିରୋଧୀ ଅପରେସନ ଦାୟିତ୍ୱରେ ଥିବା ସ୍ପେଶାଲ ଅପରେସନ୍ସ ଗ୍ରୁପ୍(ଏସ୍ଓଜି)କୁ ଏବେ ଆତଙ୍କବାଦର ମୁକାବିଲା ପାଇଁ ଏଟିଏସ୍ରେ ପୁନଃନିୟାଜିତ କରାଯିବ । ରାଜ୍ୟରେ ଆଇନଗତ ଅଧିକାର ଥିବା ଏକ ସ୍ୱତନ୍ତ୍ର ତଦନ୍ତ ପକ୍ଷ କିମ୍ୱା ସ୍ୱତନ୍ତ୍ର ପୁଲିସ୍ ଷ୍ଟେସନ ଭାବରେ ଏହି ଏଟିଏସ୍ ଗଢ଼ି ତୋଳା ଯିବ ।
ଗତବର୍ଷ ଡିସେମ୍ୱର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ଏକ ଅତ୍ୟାଧୁନିକ କାଉଣ୍ଟର ଟେରରିଜିମ୍ ଟ୍ରେନିଂ ଫ୍ୟାସିଲିଟି ଏବଂ ବ୍ରିଫିଙ୍ଗ ସେଣ୍ଟରର ଉଦ୍ଘାଟନ କରିଥିଲେ । ଯାହା ଏକାସଙ୍ଗରେ ୪୦୦ କର୍ମଚାରୀଙ୍କୁ ତାଲିମ ଦେବାକୁ ସକ୍ଷମ । ଏହି ସ୍ୱତନ୍ତ୍ର ସ୍କ୍ୱାଡ୍ ଆତଙ୍କବାଦୀ ଧମକ ବିରୋଧରେ ଓଡ଼ିଶାର ପ୍ରସ୍ତୁତିକୁ ଅଧିକ ମଜବୁତ କରିବ । ଯଦିଓ ଓଡ଼ିଶାରେ କୌଣସି ପ୍ରତ୍ୟକ୍ଷ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, କିନ୍ତୁ ଅତୀତରେ କେତେକ ସ୍ଥାନୀୟ ବାସିନ୍ଦାଙ୍କର ଉଗ୍ରବାଦୀ ସଂଗଠନ ସହ ସମ୍ପର୍କ ସାମ୍ନାକୁ ଆସିଥିବାରୁ ପୁଲିସ ପ୍ରଶାସନ ସତର୍କ ରହିଛି । କେନ୍ଦ୍ର ସରକାର ଦେଶରେ ମାଓବାଦଙ୍କୁ ସଫଳତାର ସହ ଦମନ କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ସରକାରଙ୍କ ଧ୍ୟାନ ସହରୀ ଆତଙ୍କବାଦ(ଅର୍ବାନ ଟେରୋରିଜିମ୍) ଏବଂ ଯୁଦ୍ଧ କୌଶଳ ମୁକାବିଲା ଆଡ଼କୁ ଅଗ୍ରସର ହେଉଛନ୍ତି ।




