
ତାମିଲନାଡୁ: ତାମିଲନାଡୁ ସରକାର ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ସୁନା ମୁଦି ପ୍ରଦାନ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ପାଇଁ ସରକାର ପ୍ରାୟ ୨୨୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ତାମିଲନାଡୁ ମେଡିକାଲ ସର୍ଭିସେସ୍ କର୍ପୋରେସନ୍ (ଟିଏନ୍ଏମ୍ଏସ୍ସି) ଶୁକ୍ରବାର ବିଳମ୍ବିତ ରାତିରେ ଜୟଆଲୁକ୍କାସ ଏବଂ କଲ୍ୟାଣ ଜୁଏଲର୍ସକୁ ୧.୨୮ ଲକ୍ଷ ସୁନା ମୁଦି ପ୍ରସ୍ତୁତ କରିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସରକାରୀ ହସ୍ପିଟାଲରେ ଜନ୍ମ ନେଇଥିବା ଶିଶୁମାନଙ୍କୁ ଏହି ମୁଦି ପ୍ରଦାନ କରାଯିବ।
ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଦ୍ରାବିଡ଼ ଆନ୍ଦୋଳନର ପ୍ରମୁଖ ନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍. ଅନ୍ନାଦୁରାଇଙ୍କ ଜୟନ୍ତୀ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରାଯିବାକୁ ଯୋଜନା ରହିଛି। ତେବେ ଯୋଜନାର ଟେଣ୍ଡର ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ତାମିଲନାଡୁ ବିଧାନସଭାରେ ମଧ୍ୟ ସୁନା ମୁଦି କ୍ରୟକୁ ନେଇ ତର୍କବିତର୍କ ହୋଇଛି। ଡିଏମ୍କେ ଓ ଏଆଇଏଡିଏମ୍କେ ସଦସ୍ୟମାନେ ମଧ୍ୟ କ୍ରୟ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଥିବା ଦାବି କରାଯାଇଛି।
ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଟେଣ୍ଡରରେ ଅନେକ କମ୍ପାନି ପ୍ରତି ମୁଦି ପିଛା ଅତିରିକ୍ତ ଶୁଳ୍କ ଭାବେ ୪୧୦.୯୭ ଟଙ୍କାରୁ ୧୫ ହଜାର ଟଙ୍କାରୁ ଅଧିକ ପର୍ଯ୍ୟନ୍ତ ଦର ଦେଇଥିଲେ। ତଥାପି ସେହି କମ୍ପାନିଗୁଡ଼ିକୁ ଟେଣ୍ଡର ଦିଆଯାଇନଥିବା ନେଇ ପ୍ରଶ୍ନ ଉଠିଛି। ଏହା ସହିତ ସୁନା ମୁଦି କିଣିବାର ଦାୟିତ୍ୱ ଟିଏନ୍ଏମ୍ଏସ୍ସିକୁ କାହିଁକି ଦିଆଗଲା, ସେନେଇ ମଧ୍ୟ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ଟିଏନ୍ଏମ୍ଏସ୍ସିର ମୁଖ୍ୟ ଦାୟିତ୍ୱ ଔଷଧ, ମେଡିକାଲ ଉପକରଣ କ୍ରୟ ଏବଂ ହସ୍ପିଟାଲ ନିର୍ମାଣ ସହ ଜଡ଼ିତ ଥିବାରୁ ସୁନା ମୁଦି କ୍ରୟ ପାଇଁ ଏହି ସଂସ୍ଥାକୁ ଦାୟିତ୍ୱ ଦେବାର ଯୁକ୍ତି କଣ, ତାହା ନେଇ ବିରୋଧୀମାନେ ସରକାରଙ୍କୁ ଜବାବ ମାଗିଛନ୍ତି।




